Unknown

 

 

 

 

ବାଘ

 

ମୂଳ ହିନ୍ଦୀ

କେଦାରନାଥ ସିଂହ

 

ଓଡ଼ିଆ ଅନୁବାଦ

ଈପ୍‌ସିତା ଷଡ଼ଙ୍ଗୀ

 

ସମୀକ୍ଷକ

ଅଜୟ କୁମାର ପଟ୍ଟନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ

ଭୁବନେଶ୍ୱର - ୭୫୧୦୧୪

 

ପ୍ରାଗ୍‌ଭାଷ

 

କେଦାରନାଥ ସିଂହ ହିନ୍ଦୀ ସାହିତ୍ୟର ଜଣେ ସାର୍ଥକ ବିନ୍ଧାଣି । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ହିନ୍ଦୀ କବିତାର ପାରମ୍ପରିକ ଧାରାରୁ ମୁକ୍ତ ହୋଇ କେତେକ କବି ଏକ ନୂତନ ଧାରାରେ କବିତା ସର୍ଜନା କଲେ ଯାହାକୁ ପାଠକମାନେ ଆଦର କରିଥିଲେ । ଯେଉଁମାନେ ଏହି ଧାରାରେ ନିଜକୁ ସାମିଲ କରି ନୂଆ ଢାଞ୍ଚାରେ କବିତା ସର୍ଜନା କଲେ, ସେମାନଙ୍କ ମଧ୍ୟରୁ ଆଗରେ ଥିଲେ ହିନ୍ଦୀ ସାହିତ୍ୟର ଅନ୍ୟତମ ଅଗ୍ରଜ କବି ମୁକ୍ତିବୋଧ, କବି ନିର୍ମଳ ବର୍ମା ଓ କବି ସଚ୍ଚିଦାନନ୍ଦ ହିରାନନ୍ଦ ବାତ୍ସାୟନ ‘ଅଜ୍ଞେୟ’ । ସେହି ସମୟରେ କେଦାରନାଥ ସିଂହଙ୍କ କାବ୍ୟିକ ପ୍ରତିଭା ଅଗ୍ରଜ ହିନ୍ଦୀ କବିମାନଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା । ଅଜ୍ଞେୟଙ୍କ ସହ ସମକାଳରେ ନୟୀ କବିତାର ଧାରାକୁ ଶ୍ରୀ ସିଂହ ଆପଣେଇ କାବ୍ୟ-କବିତା ସର୍ଜନା ଦିଗରେ ଆଗକୁ ବଢ଼ିଥିଲେ । ପର୍ଯ୍ୟାୟକ୍ରମେ କବି ମୁକ୍ତିବୋଧ, କବି ଅଜ୍ଞେୟ ଓ କବି କେଦାରନାଥ ସିଂହଙ୍କ ବିୟୋଗ ଫଳରେ ଏହି ନୂତନ କବିତାର କାବ୍ୟଧାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲା । କବି ତ୍ରିଲୋଚନ ଓ ପାବେଲ୍ ନେରୁଦାଙ୍କ କବିତା ଯାହା ସାଧାରଣ ମଣିଷ ସହ ନିବିଡ଼ ସମ୍ପର୍କ ଓ ସମ୍ବେଦନା, କବିତା ପ୍ରତି ନିଷ୍ଠା ତଥା ପ୍ରତିବଦ୍ଧତା ଏବଂ ପ୍ରକୃତି, ପଶୁପକ୍ଷୀଙ୍କ ସହ ତଲ୍ଲୀନତା ଭଳି କାନଭାସରେ ରୂପାୟିତ ହୋଇଥିବାରୁ କେଦାରନାଥଙ୍କୁ ତାହା ବିମୋହିତ କରିପାରିଥିଲା । କେଦାରନାଥ ପଞ୍ଚତନ୍ତ୍ର ଅଧ୍ୟୟନ କରିସାରିବା ପରେ ସଂଶିତ ‘ବାଘ’ କବିତାର ସର୍ଜନା ଚିନ୍ତା କରିଥିଲେ ଓ ପରବର୍ତ୍ତୀକାଳରେ ତାହା ସାକାର ରୂପ ନେଇଥିଲା । ବାଘ କବିତା କେତେକ ପତ୍ରିକାରେ ଖଣ୍ଡ ଖଣ୍ଡ ଭାବରେ ପ୍ରକାଶିତ ହେବାପରେ ସର୍ବଭାରତୀୟ ସାହିତ୍ୟ କ୍ଷେତ୍ରରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସମୀକ୍ଷକମାନେ ଏହି କବିତାଟି କେଦାରନାଥଙ୍କ ସବୁ କବିତାର ନିଷ୍କର୍ଷ ଓ ସବୁ କାବ୍ୟର ସମାହାର ବୋଲି ମତ ଦେଇଥିଲେ । ଏହା ଅଶେଷ ପାଠକୀୟ ଆଦୃତି ମଧ୍ୟ ହାସଲ କରିଥିଲା । କେଦାରନାଥଙ୍କ ବାଘ କବିତା ସାରା ବିଶ୍ୱରେ ଅନେକ ଭାଷାରେ ଅନୂଦିତ ହୋଇ ଯେଭଳି ଭାବେ ପ୍ରଶଂସା ସାଉଁଟିଛି ତାହା ଅତୁଳନୀୟ । କେଦାରନାଥଙ୍କୁ ଏହି ଦୀର୍ଘ କବିତା ‘ବାଘ’ କାଳଜୟୀ ସ୍ରଷ୍ଟା ଭାବରେ ଭାରତୀୟ ସାହିତ୍ୟ ସ୍ୱୀକୃତି ପ୍ରଦାନ କରିଛି । ଏହିଭଳି ଏକ ବିଶ୍ୱସ୍ତରୀୟ କବିତାକୁ ଓଡ଼ିଆରେ ଭାଷାନ୍ତର କରି ଆମ ରାଜ୍ୟର ପାଠକ ପାଠିକାମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏକାଡେମୀ ପକ୍ଷରୁ ଗତ କିଛି ବର୍ଷ ତଳୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏକାଡେମୀ ନିଷ୍ପତ୍ତି ଅନୁଯାୟୀ ଆମ ସମୟର ଜଣେ ଖ୍ୟାତିସମ୍ପନ୍ନ କବି, ଶିକ୍ଷାବିତ୍ ଓ ଅନୁବାଦିକା ଈପିସିତା ଷଡ଼ଙ୍ଗୀଙ୍କୁ ଉକ୍ତ ବାଘ କବିତାର ଓଡ଼ିଆ ଅନୁବାଦ କାର୍ଯ୍ୟ ପ୍ରଦାନ କରାଯାଇଥିଲା । ଏକାଡେମୀର ଅନୁରୋଧ ରକ୍ଷା କରି ଶ୍ରୀମତୀ ଷଡ଼ଙ୍ଗୀ ‘ବାଘ’ ଦୀର୍ଘ କବିତାଟିକୁ ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଆରେ ରୂପାନ୍ତରଣ କରି ଏକାଡେମୀକୁ ପ୍ରଦାନ କରିଥିଲେ, ତାହା ବର୍ତ୍ତମାନ ପୁସ୍ତକ ଆକାରରେ ପ୍ରକାଶ ପାଇବାକୁ ଯାଉଅଛି । ଏହି ଅବସରରେ ଏକାଡେମୀ ପକ୍ଷରୁ ଅନୁବାଦିକାଙ୍କୁ ସାଧୁବାଦ ଜ୍ଞାପନ କରୁଅଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟାନ୍ୟ ପ୍ରକାଶନ ଭଳି ଏହି ଅନୁବାଦ କବିତା ପୁସ୍ତକଟି ସୁଧୀ ପାଠକ ପାଠିକାମାନଙ୍କ ନିକଟରେ ଆଦର ଲାଭ କରିବ ବୋଲି ଆଶା ଓ ବିଶ୍ୱାସ । ପୁସ୍ତକଟିର ଦ୍ରୁତ ପ୍ରସାର କାମନା କରିଛି ।

 

ଭୁବନେଶ୍ୱର

ଶୁଚିସ୍ମିତା ମନ୍ତ୍ରୀ

୨୫ ଫେବୃଆରୀ, ୨୦୨୦

ସଚିବ

 

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

କେଦାରନାଥ ସିଂହ : ଏକ ଅନୁଭବ

 

କେଦାରନାଥ ସିଂହ (୧୯୩୪-୨୦୧୮) ହିନ୍ଦୀ କବିତା ଜଗତର ଜଣେ ପ୍ରଥିତଯଶା କବି । ହିନ୍ଦୀ କବିତା କ୍ଷେତ୍ରରେ, ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଜନ୍ମ ନେଇଥିବା ‘ନୂତନ କବିତା’ (ନୟୀ କବିତା)ର ଶେଷ ଏବଂ ଦୃଢ଼ ସ୍ତମ୍ଭ ଥିଲେ । ‘ନୂଆ କବିତା’ର ପ୍ରଥମ ସ୍ତମ୍ଭ କବି ମୁକ୍ତିବୋଧଙ୍କ ନିଧନ ୧୯୬୪ ମସିହାରେ ହୋଇଥିଲା ଏବଂ ଅନ୍ତିମ ସ୍ତମ୍ଭ କେଦାରନାଥଙ୍କ ନିଧନ ୧୯ ମାର୍ଚ୍ଚରେ ୨୦୧୮ ହୋଇଥିଲା, ଯାହା ଏହି କାବ୍ୟଧାରା ପ୍ରତି ଏକ ଶକ୍ତ ଧକ୍କା ଥିଲା । କବି କେଦାରନାଥ ଆଜି ନାହାନ୍ତି ସତ, ମାତ୍ର ତାଙ୍କ କବିତା ସାମୂହିକ ରୂପରେ ସମଗ୍ର ସାହିତ୍ୟ ଜଗତରେ ଏକ ନବ୍ୟ ଇତିହାସ ନିର୍ମାଣ କରିବାରେ ସମର୍ଥ ହୋଇ ପାରିଛି । ପ୍ରସିଦ୍ଧ ଆଲୋଚକ ଓ ସମ୍ପାଦକ ଡଃ ନାମବର ସିଂହ ଯଥାର୍ଥରେ ଉଲ୍ଲେଖ କରିଥିଲେ- ‘କେଦାରନାଥ ସିଂହ ନିଜ ପିଢ଼ିକୁ ଶବ୍ଦ ଦେଇଥିଲେ ।’

 

ଉତ୍ତରପ୍ରଦେଶର ବଲିଆ ଅନ୍ତର୍ଭୁକ୍ତ ଚକିୟା ଗ୍ରାମରେ କବି କେଦାରନାଥ, ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ବାରଣାସୀରେ ଏମ୍‌.ଏ. ଶିକ୍ଷା ସମାପ୍ତି ପରେ ‘ଆଧୁନିକ ହିନ୍ଦୀ କବିତାରେ ବିମ୍ବ ବିଧାନ’ ସନ୍ଦର୍ଭ ପାଇଁ ୧୯୬୪ ମସିହାରେ ସେ ପିଏଚ୍‌.ଡ଼ି ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ବାରଣାସୀରୁ ପ୍ରକାଶିତ ‘ହମାରୀ ପିଢ଼ି’ ପରି ଏକ ସମ୍ଭ୍ରାନ୍ତ ପତ୍ରିକା ସହିତ ଜଡ଼ିତ କେଦାରନାଥ, ୧୯୫୨-୫୩ ମସିହାବେଳକୁ ହିନ୍ଦୀ କବିତା ଜଗତର ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ପଷ୍ଟ ସ୍ୱର ଭାବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲେ । ତାଙ୍କର ପ୍ରଥମ କବିତା ସଂକଳନ ‘ଅଭି, ବିଲ୍‌କୁଲ, ଅଭି’ ୧୯୬୦ ମସିହାରେ ପ୍ରକାଶ ପାଏ । ଉଭୟ ଗ୍ରାମ୍ୟ ଏବଂ ସହର ସମ୍ପର୍କିତ ବିଷୟବସ୍ତୁ ଏବଂ ଯନ୍ତ୍ରଣାକୁ ଚମତ୍କାର ସଂହତି, ଲାଳିତ୍ୟ ଏବଂ ଗାମ୍ଭୀର୍ଯ୍ୟ ସହ ଉପସ୍ଥାପିତ ହୋଇପାରିଥିଲା ଏହି ସଂକଳନରେ । ତାଙ୍କ ସହଜ-ସିଦ୍ଧ ଶୈଳୀ, ଶବ୍ଦ-ବିନ୍ୟାସ ଏବଂ ଅନନ୍ୟ ବିମ୍ବ ପ୍ରୟୋଗଦ୍ୱାରା ସେ ସମସ୍ତ କାବ୍ୟମୋଦୀ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତାଙ୍କ କବିତାରେ ମୂର୍ତ୍ତ ସତେଜତା କେବେ କେବେ ଅତିବାସ୍ତବବାଦର ଚମକ ଖେଳାଇ ସମସ୍ତଙ୍କୁ ସ୍ତମ୍ଭୀଭୂତ କରାଇଦିଏ । ହିନ୍ଦୀ ସାହିତ୍ୟର ଅନ୍ୟତମ ପ୍ରମୁଖ କବି, ସଚ୍ଚିଦାନନ୍ଦ ହିରାନନ୍ଦ ବାତ୍ସାୟନ ‘ଅଜ୍ଞେୟ’ କେଦାରନାଥଙ୍କ ଦୀପ୍ତ କାବ୍ୟ ପ୍ରତିଭାକୁ ବିହାରର ଏକକବି ସମ୍ମେଳନରେ ପ୍ରତ୍ୟକ୍ଷ କରିବା ପରେ ୧୯୫୩-୫୪ ବେଳକୁ ତାଙ୍କ ପତ୍ରିକା ‘ପ୍ରତୀକ’ରେ ସ୍ଥାନ ଦେଇଥିଲେ । ଏବଂ, ପରେ ପରେ ‘ତାର ସପ୍ତକ’ର ତୃତୀୟ ସଂସ୍କରଣ (ତୀସ୍‌ରା ସପ୍ତକ)ରେ ଅଜ୍ଞେୟ ତାଙ୍କର ୨୪ଟି କବିତା ଓ ଗୀତକିବିତାକୁ ସ୍ଥାନ ଦେବା ସଙ୍ଗେ ସଙ୍ଗେ ଅନ୍ୟ ଛ’ଜଣ କବିଙ୍କ ସମେତ କବି କେଦାରନାଥଙ୍କୁ ମଧ୍ୟ ନିଜ ‘ବକ୍ତବ୍ୟ’ ଉପସ୍ଥାପନ କରିବାର ସୁଯୋଗ ଦେଇଥିଲେ । ସେ ନିଜ ‘ବକ୍ତବ୍ୟ’ରେ କହିଥିଲେ-

 

‘କବିତା ଲେଖିଲାବେଳେ ମୁଁ ବିମ୍ବ-ବିଧାନ ଉପରେ ମୋର ସର୍ବୋତ୍କୃଷ୍ଟ ଧ୍ୟାନ କେନ୍ଦ୍ରିତ କରାଇଥାଏ । ଆଧୁନିକ ହିନ୍ଦୀ କବିତା ତା’ର ବିମ୍ବ ପାଇଁ ପ୍ରକୃତି ଏବଂ ମନୁଷ୍ୟ ମନସ୍ତତ୍ତ୍ୱ ଉପରେ ନିର୍ଭର କରିଥାଏ । ଏହା ସହିତ ଧର୍ମ, ପୁରାଣ ସାହିତ୍ୟ, ଇତିହାସ ଓ ଲୋକ-ସାହିତ୍ୟ ମଧ୍ୟ ଉର୍ବର ଭିତ୍ତିଭୂମି ପ୍ରଦାନ କରିଥାନ୍ତି ।’

 

ନିଜ ‘ବକ୍ତବ୍ୟ’ ଯେମିତି ତାଙ୍କର କାବ୍ୟ-ତତ୍ତ୍ୱର ଏକ ଉଦ୍‌ଘୋଷଣା ଥିଲା, ଯେଉଁଥିରେ ସେ ‘ବିମ୍ବ-ବିଧାନ’କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବାରମ୍ବାର ପ୍ରମାଣ କରିବାର ବଞ୍ଚେଷ୍ଟାରେ ଥିଲେ । ତାଙ୍କ ମତରେ ‘ବିମ୍ବ-ବିଧାନର ସମ୍ବନ୍ଧ ଯେତିକି କବିତାର ବିଷୟବସ୍ତୁ ସହିତ ଥାଏ, ସେତିକି ହିଁ ତା’ର ରୂପ ସହ ବି ଥାଏ । ବିଷୟ ବସ୍ତୁକୁ ଏହା ମୂର୍ତ୍ତ ଏବଂ ଗ୍ରାହ୍ୟ କରେ ଏବଂ ଏହାର ରୂପକୁ କରେ- ସଂକ୍ଷିପ୍ତ ଏବଂ ଦୀପ୍ତ ।’

 

୧୯୭୬ ମସିହାରୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ହେବା ପରେ ଯଦିଓ କେଦାରନାଥ ଦିଲ୍ଲୀରେ ବସତି ସ୍ଥାପନ କରିଥିଲେ, ସେ ସେଠି ବି ନିଜ ଜନ୍ମ ଭୂମିର ଅଭାବ ଅନୁଭବ କରୁଥିଲେ । ଜଣେ ଉଚ୍ଚମାନର କବି ହେବା ସଙ୍ଗେ ସଙ୍ଗେ, ଜଣେ ସମ୍ବେଦନଶୀଳ ମଣିଷ ଭାବରେ ସେ ସମସ୍ତଙ୍କର ପ୍ରିୟ ଥିଲେ । ଅଗ୍ରଜ କବି ତ୍ରିଲୋଚନଙ୍କ ସହ ଭାବ ଓ ସମ୍ପର୍କ, ତାଙ୍କ ଭିତରେ ‘କବି’ର ଏକ ଆଦର୍ଶ ଚିତ୍ର ଏବଂ ବୈଶିଷ୍ଟ୍ୟ ଯେମିତି ସୃଷ୍ଟି କରି ଦେଇଥିଲା । କବି ତ୍ରିଲୋଚନଙ୍କ ସାଧାରଣ ମଣିଷଙ୍କ ସହ ନିବିଡ଼ ସମ୍ପର୍କ ଓ ସମ୍ବେଦନା ଏବଂ କବିତା ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା, କେଦାରନାଥଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ପ୍ରକୃତି ଏବଂ ପଶୁପକ୍ଷୀଙ୍କ ସହ ତଲ୍ଲୀନତା ଏବଂ ସେ ସମ୍ପର୍କିତ ପାବ୍‌ଲୋ ନେରୁଦାଙ୍କ କବିତା ପ୍ରତି କେଦାରନାଥ ସିଂହଙ୍କ ଖୁବ୍ ଆକର୍ଷଣ ଥିଲା । ସେ, ଫରାସୀ ଅତିବାସ୍ତବବାଦୀ କବି ପଲ୍ ଏଲୁଅର୍ (Paul Eluard) ଙ୍କ କବିତା ‘ସ୍ୱତନ୍ତ୍ରତା’ର ଅନୁବାଦ କରିଥିଲେ । ଏଲୁଆରଙ୍କ କବିତା ଏବଂ କାବ୍ୟ-ଦର୍ଶନ କୋଦାରନାଥଙ୍କୁ ଅନେକ ମାତ୍ରାରେ ଆକର୍ଷିତ କରିଥିଲା ।

 

କେଦାରନାଥଙ୍କ ‘ବାଘ’ କବିତାଟି ମୁକ୍ତିବୋଧଙ୍କ ‘ଅନ୍ଧେରେ ମେଁ’ ପରେ ଲେଖାଯାଇଥିବା ଦୀର୍ଘ କବିତାମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ କବିତା ଅଟେ । ଏହା ଆଧୁନିକ ସଭ୍ୟତା-ବିମର୍ଶର କବିତାଟିଏ ବୋଲି ସମାଲୋଚକ ବିମଲ କୁମାର ମତବ୍ୟକ୍ତ କରନ୍ତି । ଅଜ୍ଞେୟ ଏବଂ ନିର୍ମଳ ବର୍ମାଙ୍କ ପରେ ପରେ ସଭ୍ୟତା-ବିମର୍ଶ ‘ବାଘ’ କବିତାରେ ହିଁ ଦେଖାଯାଇଥାଏ ବୋଲି ଅନେକ ସମାଲୋଚକ ମତବ୍ୟକ୍ତ କରନ୍ତି । ଏହା କବି କେଦାରନାଥଙ୍କ ସବୁ କବିତାର ନିଷ୍କର୍ଷ ଏବଂ ସବୁ କାବ୍ୟର ଉତ୍କର୍ଷ ମଧ୍ୟ ।

 

‘ବାଘ’ କବିତା, ଡଃ. ନାମବର ସିଂହଙ୍କ ସମ୍ପାଦନାରେ ପ୍ରକାଶିତ ‘ଆଲୋଚନା’ ପତ୍ରିକାର ଜୁଲାଇ-ସେପ୍ଟେମ୍ବର, ୧୯୮୪ ସଂଖ୍ୟାରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହା ପରମାନନ୍ଦ ଶ୍ରୀବାସ୍ତବଙ୍କ ସମ୍ପାଦନାରେ ରାଜକମଲ ପ୍ରକାଶନ ଦ୍ୱାରା ୧୯୮୫ ମସିହାରେ ପ୍ରକାଶିତ ‘କେଦାରନାଥ ସିଂହ: ପ୍ରତିନିଧି କବିତାଏଁ’ ସଂକଳନରେ ଶେଷ କବିତା ଭାବରେ ପ୍ରକାଶ ପାଏ । ୨୦୦୯ ମସିହାରେ ବାଣୀ ପ୍ରକାଶନଦ୍ୱାରା ଏହାର ଅନ୍ୟ ଏକ ସଂସ୍କରଣ ପ୍ରକାଶ ପାଏ । ଏଥିରେ କେଦାରନାଥ ସିଂହ ନିଜର ଏକ ସ୍ୱୀକାରୋକ୍ତି ଦେଇଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ପ୍ରକାଶିତ ‘ବାଘ’ କବିତାର ଏହା ଏକ ଭିନ୍ନ ପାଠ । ଏବଂ, ଅନ୍ତିମ ପାଣ୍ଡୁଲିପି ପ୍ରସ୍ତୁତ କଲାବେଳେ, କବି ସ୍ୱୟଂ ଏଥିରେ କିଛି ଅଂଶ ଅଧିକ ସଂଯୋଗ କରିଛନ୍ତି । ‘ଆଲୋଚନା’ ପତ୍ରିକା ଓ ‘କେଦାରନାଥ ସିଂହ: ପ୍ରତିନିଧି କବିତାଏଁ’ ସଂକଳନରେ ଥିବା ‘ବାଘ’ ଦୀର୍ଘ କବିତାରେ ଷୋହଳଟି କବିତା ଥିବାବେଳେ, ବାଣୀ ପ୍ରକାଶନ ଦ୍ୱାରା ୨୦୦୯ରେ ପ୍ରକାଶିତ ‘ବାଘ’ ସଂକଳନରେ ମୋଟ ଏକୋଇଶ ଗୋଟି କବିତା ରହିଛି । ‘ଆମୁଖ’ ଏବଂ ଶେଷ କବିତା ବ୍ୟତିରେକ, ମଝିରେ ଆଉ ତିନୋଟି ନୂଆ କବିତା ସଂଯୋଜିତ ଯାହା ପୂର୍ବ ପ୍ରକାଶିତ ‘ବାଘ’ ଦୀର୍ଘ କବିତାରେ ନାହିଁ ।

 

ଏହି ପୁସ୍ତକରେ ଅନୁବାଦ କରାଯାଇଥିବା ପାଠ, ବାଣୀ ପ୍ରକାଶନଦ୍ୱାରା ପ୍ରକାଶିତ ‘ବାଘ’ କବିତା ସଂକଳନରୁ ସଂଗୃହୀତ ।

 

‘ବାଘ’ ଏମିତି ଏକ କବିତା ଯାହା ଆକାର ଭିତରେ ନିହିତ ଥିବା ଆକାର ଭଳି ଜଟିଳ ଅର୍ଥ ସଂରଚନାର ସୂଚନା ପ୍ରଦାନ କରେ । ଏହାର ସମ୍ପୂର୍ଣ୍ଣ କଥା ଅନେକ ଖଣ୍ଡରେ ଅନେକ ଶିଳ୍ପସ୍ତର ଦେଇ କ୍ରମଶଃ ବିକଶିତ ହୋଇଛି । ପଞ୍ଚତନ୍ତ୍ରର ଆଧାର ଶୈଳୀରୁ ସାମାନ୍ୟ ଲାଭ ଉଠାଇବାକୁ ବଞ୍ଚେଷ୍ଟା କରିଥିବା ଏହି କବିତା, ଆଧୁନିକ ଜୀବନ ଓ ସମୟର ଜଟିଳ ବାସ୍ତବିକତାକୁ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଭାବରେ ଉପସ୍ଥାପିତ କରେ । ସାମ୍ପ୍ରତିକ ସମୟରେ ସୌନ୍ଦର୍ଯ୍ୟ ଓ ଆତଙ୍କକୁ ଗୋଟିଏ ହିଁ ବିନ୍ଦୁରେ ଜିଇଁବା ଓ ଅନୁଭବ କରିବାର ଏକ ସୁଦୀର୍ଘ ପ୍ରୟାସ ଭାବରେ ରଚନା କରାଯାଇଥିବା ଏହି କବିତା ଅନେକ ଦିନ ପର୍ଯ୍ୟନ୍ତ ପାଠକଙ୍କୁ ରସ ଆସ୍ୱାଦନ ଓ ବିଶ୍ଲେଷଣ ପାଇଁ ଆମନ୍ତ୍ରଣ କରିବା ସହ ଏକ ବିଲକ୍ଷଣ ଉତ୍ତେଜନା ମଧ୍ୟ ପ୍ରଦାନ କରିଚାଲିଥିବ ।

 

କବି କେଦାରନାଥ ସିଂହଙ୍କ କବିତାରୁ ପଢ଼ିବା ଆଉ ତାଙ୍କୁ ଅନୁବାଦ କରିବା ଦୁଇଟି ଭିନ୍ନ ସ୍ୱାଦର ଅନୁଭବ । ଓଡ଼ିଶା ସାହିତ୍ୟ ଏକାଡେମୀ ‘ବାଘ’ ଦୀର୍ଘ କବିତାକୁ ଅନୁବାଦ କରିବା ସହିତ, ଏ ସ୍ୱାଦକୁ ଅନୁଭବ କରିବାର ସୁଯୋଗ ଦେଇଥିବାରୁ, ଏହି ଅନୁବାଦିକା, ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ପାଖରେ କୃତଜ୍ଞ ।

 

ସଂକଳନଟି ବିପୁଳ ପାଠକୀୟ ସ୍ୱୀକୃତି ଲାଭ କରୁ, ଏହା ହିଁ କାମନା ।

 

ଈପ୍‌ସିତା ଷଡ଼ଙ୍ଗୀ

Image

 

ସୂଚୀପତ୍ର

 

କ୍ର.ନଂ

ବିଷୟ

 

୧.

ବାଘ ସମ୍ପର୍କରେ

କେଦାରନାଥ ସିଂହ

୨.

ପ୍ରସ୍ତାବନା

 

୩.

‘ବାଘ’ : ଏକ ପ୍ରତିବେଶୀ ପ୍ରତିକ୍ରିୟା

 

Image

 

ବାଘ ସମ୍ପର୍କରେ

 

‘ବାଘ’ର ଲିଖନ କେବେ ଆରମ୍ଭ ହେଲା- ଠିକ୍ ଭାବରେ ମନେ ନାହିଁ । ମନେଅଛି ଏତିକି କେବଳ ଯେ ନବେ ଦଶକର ଆରମ୍ଭରେ କେବେ, ମୁଁ ହଙ୍ଗେରୀ ଭାଷାର କବି ୟାନୋଶ ପିଲିଂସ୍କୀଙ୍କର ଗୋଟିଏ କବିତା ପଢ଼ିଥିଲି । ଏବଂ, ସେ କବିତାର ଅଭିବ୍ୟକ୍ତିରେ ଯେଉଁ ନୂଆ ସମ୍ଭାବନା ଦେଖିଥିଲି, ସେଇଟି ମୋ ମନରେ ‘ପଞ୍ଚତନ୍ତ୍ର’କୁ ପୁଣିଥରେ ଅଧ୍ୟୟନ କରିବାର ଇଚ୍ଛାଟିଏ ସୃଷ୍ଟି କରି ଦେଇଥିଲା । ସେ କବିତାରେ ଯେଉଁ ପଶୁ ଜଗତ ଥିଲା ଅର୍ଥାତ୍ ଏକ ସରଳ ନିରୀହ ପଶୁଗାଥା-ମତେ ଲାଗିଲା ‘ପଞ୍ଚତନ୍ତ୍ର’ରେ ୟା’ର ଗୋଟିଏ ବହୁତ ପୁରୁଣା ଓ ଅଧିକ ଆତ୍ମୀୟ ରୂପ ପ୍ରଥମରୁ ହିଁ ମହଜୁଦ ଅଛି । ‘ପଞ୍ଚତନ୍ତ୍ର’ର ସଂରଚନାର ନିଜସ୍ୱ ଏମିତି ସ୍ୱତନ୍ତ୍ରତା ଅଛି, ଯାହା ବାହ୍ୟ ଅବଲୋକନରୁ ଯେତିକି ସରଳ ଦେଖାଯାଏ, ବସ୍ତୁତଃ ଏହା ସେତିକି ସରଳ ନୁହେଁ । ସବୁ କାଳଜୟୀ କୃତି ପରି ‘ପଞ୍ଚତନ୍ତ୍ର’ର ଶୈଳୀ ବି ନିଜର ପ୍ରତୀୟମାନ ସରଳତା ସହ ଅନନୁକରଣୀୟ ଅଟେ । ମାତ୍ର ମତେ ଲାଗେ କି ‘ପଞ୍ଚତନ୍ତ୍ର’ ଏମିତି ଗୋଟେ କୃତି ଯାହା ଏକ ସମକାଳୀନ ରଚନାକାରଙ୍କ ପାଇଁ ଯେତେବଡ଼ ଆହ୍ୱାନ ହେଉନା କାହିଁକି, ଟିକିଏ ନିବିଷ୍ଟ ହୋଇ ପଢ଼ାଗଲେ ଏହି ସୃଜନାତ୍ମକ ସମ୍ଭାବନାର ବହୁ ନବ୍ୟ, ନୂତନ ଏବଂ ଅନେକ ଅନୁଚ୍ଚାରିତ ପରସ୍ତ ଖୋଲିପାରେ ବୋଲି ଅନୁଭବ କରିହେବ । ମତେ ଏୟା ବି ଲାଗେ କି ସେହି ଶୈଳୀ ବା ଆଙ୍ଗିକର କାର୍ଯ୍ୟ- କାରଣବଦ୍ଧ ଶୃଙ୍ଖଳାକୁ କିଛି ଢିଲା କରିଦିଆଗଲେ, ଏହି ସମ୍ଭାବନାକୁ ଆହୁରି ଅନେକଗୁଣ ବଢ଼େଇ ଦିଆଯାଇ ପାରିବ । ବସ୍ତୁତଃ, ସୃଜନାତ୍ମକ ସତ୍ୟର ଏହି ନବ୍ୟ ସାକ୍ଷାତକାରରୁ ‘ବାଘ’ର ଜନ୍ମ ହୋଇଥିଲା- ଅନେକ ବଙ୍କାଟଙ୍କା ରେଖା ମଝିରେ ଘେରା ଗୋଟିଏ ଶିଶୁର କ୍ରୀଡ଼ା ଭଳି ।

 

‘ପଞ୍ଚତନ୍ତ୍ର’ର ଗୁମ୍ଫିତ ଶୈଳୀରୁ ବାହାରି ଯେବେ ‘ବାଘ’ର ବିମ୍ବ ପ୍ରଥମଥର ମତେ ଆନ୍ଦୋଳିତ କଲା, ସେତେବେଳେ ଏକଥା ପରିକଳ୍ପନାର ବାହାରେ ଥିଲା ଯେ ଏହା ଏକ ଦୀର୍ଘ କାବ୍ୟ- ଶୃଙ୍ଖଳାର ବୀଜ-ବିମ୍ବ ହୋଇପାରେ । ବସ୍ତୁତଃ, ‘ବାଘ’ର କିଛି ଅଂଶ ଲେଖା ଯାଇପାରିବା ପରେ ହିଁ, ପ୍ରଥମଥର ପାଇଁ ମତେ ଲାଗିଲା କି ଏହି କ୍ରମକୁ ଆହୁରି ଆଗକୁ ବଢ଼ାଯାଇ ପାରିବ । ତା’ପରେ, ଏକ ଅଂଶର ଆନ୍ତରିକ ଚାପ ହିଁ ଅନ୍ୟ ଏକ ଅଂଶକୁ ତିଆରି କରି ଚାଲିଲା, ଆପେ ଆପେ । କଥାତ୍ମକ ଶୈଳୀର ଏହି ସ୍ୱତଃସ୍ଫୂର୍ତ୍ତ ପ୍ରଜନନଶୀଳତା ସହ ଏହା ମୋର ପ୍ରଥମ କାବ୍ୟାତ୍ମକ ସାକ୍ଷାତକାର ଥିଲା ।

 

ଆଜିର ମଣିଷ, ବାଘର ପ୍ରତ୍ୟକ୍ଷ ବାସ୍ତବିକତାଠାରୁ ଏତେ ଦୂରକୁ ଚାଲି ଆସିଛି ଯେ, ଜାଣତରେ ବା ଅଜାଣତରେ ବାଘ ତା’ପାଇଁ ଏକ ମିଥ୍‌କୀୟ ସତ୍ତାରେ ବଦଳି ଯାଇଛି । କିନ୍ତୁ ଏହି ମିଥକୀୟ ସତ୍ତାରୁ ବାହାରି ବାଘ ଆମ ପାଇଁ ଆଜି ବି ପାଣିପବନ ପରି ଏକ ପ୍ରାକୃତିକ ସତ୍ତା ଯାହାର ଅସ୍ତିତ୍ୱ ସହ ଆମର ଅସ୍ତିତ୍ୱ, ଆମର ଭବିଷ୍ୟତ ଯୋଡ଼ି ହୋଇ ରହିଛି । ଏହି ପ୍ରାକୃତିକ ବାଘ ସହିତ ତା’ର ସମସ୍ତ ଦୁର୍ବଳତା ସତ୍ତ୍ୱେ ମଣିଷର ଗୋଟେ ବହୁତ ନିବିଡ଼ ସମ୍ପର୍କ ଅଛି, ଯିଏ ନିଜ ଭୌତିକ ରୂପରେ ଯେତିକି ଆଦିମ, ମିଥକୀୟ ରୂପରେ ସେତିକି ସମକାଳୀନ ଅଟେ ।

 

ଏହି ସମ୍ପୂର୍ଣ୍ଣ କାବ୍ୟ-ଶୃଙ୍ଖଳାରେ ମୋର ଲଗାତାର ଗୋଟିଏ ବଞ୍ଚେଷ୍ଟା ରହି ଆସିଛି ଯେ ବାଘକୁ କୌଣସି ଏକ ବିନ୍ଦୁରେ ଏମିତି କିଳିତ କରାନଯାଉ କି ସେ ନିଜର ଐନ୍ଦ୍ରିକ ମୂର୍ତ୍ତିମତ୍ତାକୁ ଛାଡ଼ି କୌଣସି ଏକ ବିଶେଷ ପ୍ରତୀକରେ ରୂପାନ୍ତରିତ ହୋଇଯାଉ, ଏଥିପାଇଁ ଏହି ଶୃଙ୍ଖଳାର ପ୍ରତ୍ୟେକ କଡ଼ିରେ, ପ୍ରତିଥର ବାଘ ଏକ ନୂଆ ବାଘ ପରି ଆସେ- ଏବଂ ପ୍ରାୟ ପ୍ରତ୍ୟେକଥର ନିଜର ବାଘ ପଣର ଏକ ନୂଆ ଅନୁଷଙ୍ଗ ସହିତ । ଏ ବଞ୍ଚେଷ୍ଟାରେ ମୁଁ କେତେଦୂର ସଫଳ ହେଲି ବା ନ ହେଲି ଏ ସମ୍ପର୍କରେ ମୁଁ କିଛି କହିପାରିବିନି । କବିତାର ଦ୍ୱାଦଶ ଅଂଶରେ ଯେଉଁଠି କବି ତ୍ରିଲୋଚନଙ୍କ ସନ୍ଦର୍ଭ ଆସିଛି, ତାହା ଏକଦମ ଆକସ୍ମିକ ଥିଲା । କିନ୍ତୁ ପରେ ଅନୁଭବ ହେଲା-ଏବଂ ଜଣେ ପାଠକ ଯେତେବେଳେ ପତ୍ରଟିଏ ଲେଖିଲେ, ସେତେବେଳେ ଆହୁରି ସ୍ପଷ୍ଟ ହେଲା ।

 

ଏହା କବିତାର ମିଥ୍ କବିତାର ମିଥ୍‌-ଲୋକରେ ସମକାଳୀନ ସନ୍ଦର୍ଭର ଏକ ଅଚାନକ ହସ୍ତକ୍ଷେପ ଥିଲା, ଯାହା ବିନା ଯୋଜନାରେ ଚୁପ୍‌ଚାପ ଚାଲି ଆସି ଯାଇଥିଲା ।

 

‘ବାଘ’ର ଯେଉଁ ଅଂଶ ବିଭିନ୍ନ ପତ୍ରପତ୍ରିକାରେ ଆଗରୁ ପ୍ରକାଶିତ ହୋଇଥିଲା, ଏହି ପ୍ରସ୍ତୁତ ପାଠଟି ତା’ଠାରୁ ଭିନ୍ନ ଅଟେ । ପାଣ୍ଡୁଲିପି ପ୍ରସ୍ତୁତିର ଶେଷ ଭାଗରେ କବିତାରେ କିଛି କିଛି ନୂଆ ଅଂଶ ଯୋଡ଼ା ହୋଇଛି । ଏବେ ଯେଉଁ କବିତା ପ୍ରଥମଥର ଏଠି ଛପା ହେଉଛି, ତାହା ମୋଟ ଏକୋଇଶଟି ଛୋଟ ବଡ଼ ଖଣ୍ଡର ସମ୍ମିଶ୍ରଣରେ ହୋଇଛି । ପ୍ରତ୍ୟେକ କୃତିର ଅନ୍ତିମ ଆକାର ଅନ୍ତତଃ ଗୋଟିଏ ଚୁପ୍‌ଚାପ ରଚନାତ୍ମକ ସନ୍ଧିର ପରିଣାମ ମାତ୍ର ଅଟେ । ଏବଂ, ବାଘର ଏ ଏକୋଇଶ ଖଣ୍ଡ ବି ଏ ସିଦ୍ଧାନ୍ତଠାରୁ ଭିନ୍ନ ନୁହେଁ ।

 

ବର୍ତ୍ତମାନ ‘ବାଘ’ ବିଷୟରେ ୟା’ଠାରୁ ଅଧିକ କିଛି କହିବାକୁ ନାହିଁ, ମୋ ପାଖରେ ।

 

କେଦାରନାଥ ସିଂହ

୧୮.୧.୧୯୯୬

Image

 

ପ୍ରସ୍ତାବନା

 

ବିମ୍ବ ନାହିଁ

ପ୍ରତୀକ ନାହିଁ

ଟେଲିଗ୍ରାମ୍ ନାହିଁ

ପତ୍ରବାହକ ନାହିଁ

ମୁଁ ହିଁ କହିବି

କାହିଁକି ନା

ମୁଁ ହିଁ

କେବଳ ମୁଁ ହିଁ ଜାଣିଛି

ମୋ ପିଠି ଉପରେ

ମୋ ସମୟ ପଞ୍ଝାର

କେତେ କେତେ ଚିହ୍ନ

ତେବେ କେତେ ଅଭିନ୍ନ

ମୋ ସମୟର ପଞ୍ଝା

ମୋ ନଖର ଉଜ୍ଜ୍ୱଳତାଠାରୁ

ଆଉ ମୋ ଆତ୍ମାରେ ଯୋଉ ଖୁସି ଅଛି

ସେ ହିଁ ପ୍ରକୃତରେ

ମୋ ଆଣ୍ଠୁର ଯନ୍ତ୍ରଣା

ତଳିପାଦରେ ଜ୍ୱାଳା

ମସ୍ତିଷ୍କରେ ଯନ୍ତ୍ରଣା

ବିଚାରର ଧମକ

ଏବଂ ଏତିକିବେଳେ

ମୋ ଜିଭ ଉପରେ

ଯୋଉ ବିରାଟ ମିଛ

ବସି ରହିଛି

ସେ ହିଁ ସେ ହିଁ

ମୋ ଶତାବ୍ଦୀର

ସବୁଠୁ ବଡ଼ ସତ !

ଏଇ ନିଅ

ତୁମକୁ ଦେଇ ଦେଉଛି

ମୋ ହାତ

ଏବଂ ନିଜ ପାଖରେ ରଖୁଛି

ମୋ ଓଠ ଦୁଇଟିର

କମ୍ପନ...

ଗୋଟିଏ କବିର

ଆଉ କ’ଣ ଦରକାର !

-୦-

 

॥ ୨ ॥

 

ଆଜି ସକାଳର ସମ୍ବାଦ ପତ୍ରରେ

ଛୋଟିଆ ଖବରଟିଏ ଥିଲା

ଯେ ଗତକାଲି ରାତିରେ

ସହରକୁ

ବାଘ ଆସିଥିଲା !

କେହି ତାକୁ ଦେଖିନଥିଲେ

ଅନ୍ଧାରରେ କେହି ଶୁଣିନଥିଲେ

ତା’ର ପାଦଶବ୍ଦ

କୋଉ ସଡ଼କ ଉପରେ ତ

ପଡ଼ିନଥିଲା

ରକ୍ତର ଛିଟାଟିଏ ବି

କିନ୍ତୁ ସମସ୍ତଙ୍କର ବିଶ୍ୱାସ

ସକାଳର ସମ୍ବାଦ ପତ୍ରରେ

ଛପିଥିବା ଖବର

ଭୁଲ ହେଇନପାରେ

ଏବଂ ନିଶ୍ଚିତଭାବେ କାଲି ରାତିରେ

ସହରକୁ

ବାଘ ଆସିଥିଲା

ସତ ଏୟା ଯେ

ବାଘ ଆସିବା କଥାକୁ

ସନ୍ଦେହ କରାଯାଇନପାରେ

ପାଗ ଯେମିତି ରହୁଛି

ପବନ ଯେମିତି ବହୁଛି

ସେଠି କେତେବେଳେ ବି

ଆଉ କୋଉଠି କି ବି

ଆସି ପହଞ୍ଚି ଯାଇପାରେ ବାଘ

କିନ୍ତୁ ପ୍ରଶ୍ନଟେ ହୋଇପାରେ ଯେ

ଏତେଦିନ ପରେ

ଏତେବଡ଼ ସହରରେ

କାହିଁକି ବା ଆସିଥିଲା ବାଘ ?

ସେ କ’ଣ ଭୋକିଲା ଥିଲା ?

ରୋଗୀଣା ଥିଲା ?

କିମ୍ବା ସହର ସମ୍ପର୍କରେ କ’ଣ

ବଦଳି ଗଲା କି ତା’ର ବିଚାର ?

କେତେ ଆଶ୍ଚର୍ଯ୍ୟର କଥା

ସେ ଆସିଲା

ଆଉ ପୁରା ସହରକୁ

ଗଭୀର ତିରସ୍କାର ଓ

ଘୃଣାର ନଜରରେ ହିଁ

ଦେଖିଲା

ଆଉ ସବୁକିଛି ଯେଉଁଠି ଥିଲା

ସେଇଠି ତାକୁ ଛାଡ଼ି

ଚୁପ୍ ଓ ବିରକ୍ତିରେ

ଚାଲିଗଲା ବାହାରକୁ !

ସକାଳର କଅଁଳ ଖରାରେ

ନିଜ ନିଜ ଦୁଆର ମୁହଁରେ

ଠିଆ ହୋଇଛନ୍ତି ସମସ୍ତେ

ଚୁପ୍‌ଚାପ୍

ମୁଁ କିନ୍ତୁ ଶୁଣି ପାରୁଛି

ସମସ୍ତଙ୍କ କଥା

ପାଦକୁ ପଚାରୁଛି ଯୋତା

ବେକକୁ ପଚାରୁଛି ବାଳ

ନଖସବୁକୁ ପଚାରୁଛି କାନ୍ଧ

ମୁହଁକୁ ଚମ

କି କେବେ ଆସିବ

ପୁଣି କେବେ ଆସିବ ବାଘ ?

-୦-

 

॥ ୩ ॥

 

କଥାମାନଙ୍କରେ ଭରା ଏ ଦେଶରେ

ମୁଁ ବି ଗୋଟିଏ କଥା

ଗୋଟିଏ କଥା ମଧ୍ୟ ବାଘ ବି

ଏଇଥିପାଇଁ ଯେ

ଅନେକ ଥର

ଯେତେବେଳେ ତାକୁ ଲୁଚିବାକୁ

ଠିକ୍‌ଠାକ ଜାଗା ନ ମିଳେ

ସେ ଖୁବ୍ ଧୀର ଭାବରେ ଉଠେ

ଏବଂ ଯାଇ ବସିପଡ଼େ

କୋଉ ଗୋଟେ କଥାର

ଉହାଡ଼ରେ

ତା’ପରେ

ଜଙ୍ଗଲର ପତ୍ର ଆଡ଼େଇ

ଯୋଉଠି ଯେତେ ଖୋଜନା କାହିଁକି

କୋଉଠି ବି ମିଳେନା ସେ

ବିଚରା ମଉଁଷି

ସନ୍ଧ୍ୟାରୁ ସକାଳ ଯାଏଁ

ଚୁପ୍‌ଚାପ ବନ୍ଧା ହୋଇଥାଏ

ପାଣି ପରି ପତଳା ଗୋଟେ ଦଉଡ଼ିରେ

ଆଉ ବାଘକୁ

ଜମା ଶୋଷ ହିଁ ଲାଗେନି

ଆଉ ସେ ଆସେନି ବି

ଅନେକ ଦିନ ଧରି

ପାଣିରେ ଲୁଚି ରହିଯାଇଥିବା

ନିଜର ବେଶ୍ ଲମ୍ବା ଆଉ ସମ୍ମାନଜନକ

ପ୍ରତିବିମ୍ବକୁ ଦେଖିବାକୁ

ଆଉ ଯେବେ ରାଜା ଆସି ଯାଆନ୍ତି

ଜଙ୍ଗଲରେ ହୁରି ପଡ଼ିଯାଏ

ବନ୍ଧୁକରେ ଗୁଳି ସଜାଡ଼ି ରଖାହୁଏ

ସେଇ ଆଡ଼କୁ

ଯେଉଁପଟେ ବାଘ ଥାଇପାରେ

ତ ସତ ଏୟା ଯେ

ସେ ସମୟରେ ବାଘ

ଏଠେଇ ନ ଥାଏ କି ସେଠେଇ

ସେ ନିଜ ଶିକାରର

ରକ୍ତ ପିଇସାରିବା ପରେ

ଆରାମରେ ବସି ରହିଥାଏ

କୋଉ କଥାର ଉହାଡ଼ ଭିତରେ !

-୦-

 

॥ ୪ ॥

 

ଏଇ ବିଶାଳ ଦେଶର

ସୁଦୂର ଉତ୍ତର ପଟେ

ଧ୍ୱଂସାବଶେଷ ରହିଛି

କୋଉ ଗୋଟେ ପ୍ରାଚୀନ ନଗରର

ଯେଉଁଠି

ତା’ ବୈଭବର ଦିନଥିବା ସମୟରେ

କେବେ କେବେ ଆସୁଥିଲେ ବୁଦ୍ଧ

କେବେ କେବେ

ଚାଲି ଆସୁଥିଲା ବି

ବାଘ !

ଦୁଇଜଣ ଆସୁଥିଲେ

ଅଲଗା ଅଲଗା

ଯଦି ବୁଦ୍ଧ ଆସୁଥିଲେ ପୂର୍ବରୁ

ତ ବାଘର କ’ଣ ଯାଏ

କେବେ ସେ

ପଶ୍ଚିମରୁ ଆସୁଥିଲା ତ

କେବେ ଏମିତି କୌଣସି ଅଜଣା ଦିଗରୁ ଯେ

ତା’ର ଆଭାସ

କାହାକୁ ବି ଜଣାପଡ଼ୁନଥିଲା

କିନ୍ତୁ କେବେ କେବେ ଦୁହେଁ

ସାମ୍ନା ସାମ୍ନି ହୋଇଗଲେ

ବାଘ ଆଖି ଉଠେଇ

ଦେଖୁଥିଲା ବୁଦ୍ଧଙ୍କୁ

ଆଉ ବୁଦ୍ଧ ମୁଣ୍ଡ ନୁଆଁଇ

ଚାଲି ଯାଉ ଥାଆନ୍ତି ଆଗକୁ

ଏମିତି ଚାଲିଥିଲା

ସେଇ ଛୋଟିଆ ନଗରର ମହାନ ଜୀବନ

ବୁଦ୍ଧଙ୍କ କରୁଣା

ଆଉ ବାଘର ଆତଙ୍କ

ଜଣେ ଜଣକୁ ଚ୍ଛେଦ କରୁଥିବା

ଦୁଇଟି ଛାଇ ଭିତରେ

ସେଠି

ଲୋକଙ୍କ ଧାରଣା ଥିଲା ଯେ

ବୁଦ୍ଧ ବୁଝିପାରୁଥିଲେ

ବାଘର ଭାଷା

କିନ୍ତୁ ବିଚରା ବାଘ ପାଇଁ

ବୁଦ୍ଧଙ୍କ ପାଲି

ଘାସ ଭଳି ସୁନ୍ଦର ଥିଲା

ଅଥଚ ଏକଦମ୍ ଅଖାଦ୍ୟ

ଏଇଭଳି ଦିହିଁଙ୍କ ମଧ୍ୟରେ

ଗୋଟେ ଅଜବ ସମ୍ପର୍କ ଥିଲା

ଯୋଉଠି ଗୋଟେ ପଟେ ଖାଲି

ଭୋକ ହିଁ ଭୋକ ଥିଲା

ଆଉ ଅନ୍ୟ ପଟେ

କରୁଣା ହିଁ କରୁଣା

ଏବଂ ଦୁହିଁଙ୍କ ମଝିରେ

କୌଣସି ପୋଲ ହିଁ ନ ଥିଲା

କିନ୍ତୁ କେବେ କେବେ ରାତିରେ

ଯେତେବେଳେ ହିମାଳୟ ଶିଖରରେ

ବରଫ ପଡ଼ୁଥିଲା

ଏବଂ ନଗର ସାରା

ଖୁବ୍ ଜୋରରେ ପବନ ବୋହୁଥିଲା

ସେତେବେଳେ ନଗରବାସୀ ଭାବୁଥିଲେ

ଏଇ ପବନରେ

କୋଉଠି ଶୀତରେ ଥରୁଥିବେ ବୁଦ୍ଧ

ଆଉ କେତେ ଅଜବ କଥା

ଏଇ ପବନରେ

କୋଉଠି ଟହଲୁଥିବ ବାଘ ବି !

-୦-

 

॥ ୫ ॥

 

ସୁନ୍ଦର ଏବଂ ବିଶାଳ ଟ୍ରାକ୍ଟରଟେ

ସେଠି କ୍ଷେତ ଭିତରେ ଠିଆ ହୋଇଥିଲା

ଦିନଯାକ ଚାଲିବା ପରେ

ଏତେ ଥକି ଯାଇଥିଲା ଯେ

ବର୍ତ୍ତମାନ ସେ ନିଜ ଛାଇର ମାପଠୁ

ନା ଛୋଟ ଥିଲା ନା ବଡ଼

ସେ କେବଳ ସେଇଠି ଠିଆ ହୋଇଥିଲା ।

ଅସ୍ତ ସୂର୍ଯ୍ୟର ଲାଲ ଲାଲ କିରଣ ମାଳା

ବିଶାଳ ବବୁଲ ଗଛ କଣ୍ଟା ଭିତରୁ

ଛାଣି ହୋଇ

ସିଧା ତା’ ଇଞ୍ଜିନ ଉପରେ ପଡ଼ୁଥିଲା ।

ଏବଂ ବାଘ

ଯିଏ କେତେବେଳେ

କୋଉଠି ବି ଥାଇପାରେ

ଯେହେତୁ ସେ ସେ ସମୟରେ

ଗୋଟେ ଆଖୁ କିଆରିରେ ଥିଲା

ସେ ସବୁ କିଛି ଦେଖିପାରୁଥିଲା

ଯେତେବେଳେ ସେ

ନିଜକୁ ଅଟକେଇ ପାରିଲାନି

ସେଉଠୁ ଚିତ୍କାର କଲା

‘ଆରେ ଭାଇ, ବାହ !

ଅଦ୍‌ଭୁତ !’

ତାକୁ ଟ୍ରାକ୍ଟରଟି

ସବୁଜ କ୍ଷେତରେ ପଡ଼ିଥିବା

ଗୋଟେ ବିରାଟ ଦାନା ପରି ଲାଗିଲା

ଶକ୍ତ, ଲାଲ, ଉଜ୍ଜ୍ୱଳ ଦାନା

ଏବଂ ବାଘ ଭାବିଲା

ଏବେ ମଜା ହବ

କାଇଁକି ନା

ଯେମିତି ସବୁବେଳେ ହୁଏ ସେମିତି

ଗୋଟେ ବୁଢ଼ୀ ଆସିବ

ଦାନାକୁ ନିଜ ଅଣ୍ଟିରେ ପୂରେଇ

ଘରକୁ ନେଇଯିବି

ଆଉ ପକେଇ ଦେବ ନେଇ ତା’ର

ଅନ୍ଧାର ଆବୋରି

ଟକ୍‌ମକ୍ ଫୁଟୁଥିବା ଡେକ୍‌ଚି ଭିତରେ

ତା’ ପରେ ସେ

ଏକ ସଂଗୁପ୍ତ ଈର୍ଷାରେ

ଉପରୁ ତଳୁ ନିରିଖେଇ ଦେଖିବ

ସମଗ୍ର ଟ୍ରାକ୍ଟରଟିକୁ

ଆଉ ଆପେ ଆପେ

ଗୋଟେ ବୁଢ଼ୀର ଡେକ୍‌ଚିରେ

ରନ୍ଧା ହେବାର ଇଚ୍ଛାରେ

ଲାଲ୍ ହେଇଯିବ !

-୦-

 

॥ ୬ ॥

 

‘ଏଇ ମଣିଷମାନେ

ଆଜିକାଲି ଏତେ ଚୁପ୍ କାଇଁକି ରହୁଚନ୍ତି ?’

ଦିନେ ବାଘ କୋକିଶିଆଳିକୁ ପଚାରିଲା

କିଛି ବୁଝି ପାରିନଥିଲେ ବି

ଖାଲି ସମର୍ଥନର ମୁଣ୍ଡ ହଲେଇଲା

କୋକିଶିଆଳି

ଆଉ ଅପଲକ ଦୃଷ୍ଟିରେ

ଦେଖିବାକୁ ଲାଗିଲା

ବାଘର ମାଢ଼ିକୁ

ଏବେ ବି ତାଜା ରକ୍ତର ଗନ୍ଧ

ଆସୁଥିଲା ସେଥିରୁ

କିଛି ସମୟ କ’ଣ ଗୋଟେ ଭାବି କହିଲା-

‘କୋଉ ଦୁଃଖ ଥିବ ତାଙ୍କର’

‘କେମିତିକା ଦୁଃଖ ?’

ବାଘ ବ୍ୟସ୍ତ ହେଇ ପଚାରିଲା

‘ଏସବୁ ମୁଁ ଜାଣିନି

ତେବେ ଦୁଃଖର କ’ଣ ଅଛି

କେମିତି ନା କେମିତି

ସେ ହେଇଯାଏ’

କୋକିଶିଆଳି ଉତ୍ତର ଦେଲା

‘ହେଇପାରେ

ତାଙ୍କଠି କ’ଣ ଗୋଟେ କଣ୍ଟା ଲାଖି ରହିଛି !’

ବାଘ ପଚାରିଲା

‘ହେଇପାରେ

ଏମିତି ବି ହେଇପାରେ ଯେ

ମଣିଷ ହିଁ ଲାଖିଯାଇଛି କଣ୍ଟାରେ’

ଧୀରେ କହିଲା କୋକିଶିଆଳି

ଏବେ ବାଘର ଅକଲକୁ

କିଛି ଆସିଲାନି

ତେବେ ସେ ଖାଲି ସମର୍ଥନ କରି

ସେମିତି ମୁଣ୍ଡ ହଲେଇ ଦେଲା

ପୁଣି ଧୀର ସ୍ୱରରେ ପଚାରିଲା

‘ମଣିଷ ମାନେ କ’ଣ

ପାଣି ପିଅନ୍ତି ?’

‘ପିଅନ୍ତି’- କୋକିଶିଆଳି କହିଲା

‘କିନ୍ତୁ ସେ ଆମ ପରି

କେବଳ ସକାଳ ସନ୍ଧ୍ୟାରେ ପିଅନ୍ତି ନାହିଁ

ଦିନଯାକ ଯେତେଥର ଇଚ୍ଛା

ସେତେଥର ପିଅନ୍ତି’

‘କିନ୍ତୁ ଏତେ ପାଣି

କାହିଁକି ପିଅନ୍ତି ମଣିଷମାନେ’

ବାଘ ଆଶ୍ଚର୍ଯ୍ୟରେ ପଚାରିଲା

‘ସେଇ ଦୁଃଖ-

ମୁଁ କହିଲି ନା !’

କୋକିଶିଆଳି ଉତ୍ତର ଦେଲା

ଏଥରକ ବି ପୁଣି

ବାଘର ଅକଲରେ କିଛି ଢୁକୁ ନ ଥିଲା

କିନ୍ତୁ ସେ ବହୁ ସମୟ ଯାଏଁ

ମୁଣ୍ଡ ନୁଆଇଁ

ସେମିତି ଚିନ୍ତା କରିବାକୁ ଲାଗିଲା

ଏ ‘ଦୁଃଖ’ ଏମିତି ଏକ ଶବ୍ଦ ଥିଲା

ଯାହା ସାମ୍ନାରେ ବାଘ

ପୂରାପୂରି ନିରୂପାୟ ଥିଲା ।

-୦-

 

॥ ୭ ॥

 

ଗୋଟେ ଜଳନ୍ତା ଦି’ ପହରେ

ଅଦ୍ଭୁତ ଦୃଶ୍ୟଟେ ଦେଖିଲା ବାଘ

ସେ ଦେଖିଲା

ଏକ ବିଶାଳ ବରଗଛ ତଳେ

ଗୋଟିଏ ଚଢ଼େଇ ଆଉ ଗୋଟେ ମଣିଷ

ନିଜର ଡେଣା ଆଉ

କୁରାଢ଼ି

ଏପଟେ ସେପଟେ ରଖି

ନିର୍ଭୟରେ ବିଶ୍ରାମ ନେଉଥିଲେ

ପ୍ରଥମେ ସିଏ ହେଣ୍ଟାଳିଲା

ତା’ପରେ ଚୁପ୍ ହେଇଗଲା

କାରଣ ସେ ଶୁଣିଲା

ସେ ବୁଢ଼ା ବରଗଛ

ମଣିଷଟିର କାନ ପାଖକୁ ନଇଁ ଆସି

ଧୀରେ ଧୀରେ

ଗୋଟେ ବହୁତ ପୁରୁଣା ଗୀତ ଗାଉଥିଲା

ବୋଧହୁଏ ସେଇଟି

କୌଣସି ରାଜାଙ୍କ ବିଷୟରେ ଥିଲା

ଯାହାଙ୍କ ରାଣୀ ଜଙ୍ଗଲରେ ହଜି ଯାଇଥିଲେ

ତା’ପରେ ବାଘ

ନା ହଲିଲା ନା ହେଣ୍ଟାଳିଲା

ଖାଲି ସେଇ ଆଡ଼କୁ ମୁହଁ କରି

ଅନେକ ସମୟ ଧରି

ଠିଆ ହେଇ ରହିଲା

ମୁଗ୍‌ଧ

ଅବାକ !

-୦-

 

॥ ୮ ॥

 

ମୁଁ ଜଣେ ସ୍ତ୍ରୀ ଲୋକଙ୍କୁ ଜାଣେ

ଯିଏ ଗୋଟେ ଛୋଟ ସହରରେ ରହୁଥିଲେ

ତାଙ୍କ ପାଖରେ ଅନେକ କାହାଣୀ ଥିଲା

ବାଘ ବିଷୟରେ,

ଆଉ ନଦୀ ସମ୍ପର୍କରେ

ଆଉ ଏମିତି ବହୁତ ସହର ବିଷୟରେ

ଯୋଉମାନଙ୍କ ନାଁ

ବହିର କୌଣସି ଜାଗାରେ ବି ମିଳେନା

ତା’ର ବିଶ୍ୱାସ ଥିଲା

ବାଘ ଗୋଟେ କୁହୁକ

ଏବଂ ଏତେ ଭୟଙ୍କର ଯେ

ଅନ୍ଧାରରେ ବି ତା’ ନାଁ ଧରିଲେ

ସେ ଉଭା ହେଇଯିବ ସାମ୍ନାରେ

ତା’ର ଧାରଣା ଥିଲା ଯେ

ଏ ଯେଉଁ ଭଲ ପାଇବା

ଆମ ପରସ୍ପର ଭିତରେ ଅଛି

ବା ଆମ କାହା ଭିତରେ ବି ନାହିଁ

ସେ ବି ଗୋଟିଏ ବାଘ

ଆଉ ଏତେ ନିବିଡ଼ ଯେ

ଧ୍ୟାନରେ ଶୁଣିଲେ

ନିଜ ଛାତିରେ ଶୁଭିବ

ତା’ର ଭାରି ପଞ୍ଝାରେ

ଚାଲିବାର ଶବ୍ଦ

ଏଇଥି ପାଇଁ ଅନ୍ଧାରରେ

ସେ ସ୍ତ୍ରୀ ଲୋକ ଜଣକ

ପ୍ରାୟତଃ ଚୁପ୍ ରହୁଥିଲେ

ଏବଂ ଅନେକ ସମୟରେ

ଭୟରେ ଥରୁଥିଲେ

ଯଦି କିଛି କହିବାକୁ ପଡ଼ୁଥିଲା

ତେବେ ତା’ର କମ୍ପୁଥିବା ଓଠ

ଧୀରେ ଧୀରେ କହୁଥିଲେ

କିଛି ଶବ୍ଦ

ଯାହାର ଅର୍ଥ

କିଛି ବି ହୋଇପାରେ

ଅଥଚ ପୁଣି କିଛି ବି ହୋଇନପାରେ ।

-୦-

 

॥ ୯ ॥

 

ସେଦିନ ବାଘକୁ

ଲେଖାପଢ଼ା ଶିଖା ଯାଉଥିଲା

କେଉଁଠି

କୋଉ ପାଠାଶାଳାରେ

ଏୟା କହିବା

ମୋ ପାଇଁ ବହୁତ ମୁସ୍କିଲ

କାଠର ଗୋଟେ ବହୁତ ବଡ଼ କଳାପଟା

ତା’ ସାମ୍ନାରେ ରଖାଯାଇଥିଲା

ଯାହା ଉପରେ

କୋକଶିଆଳି କହିଲା

ଲେଖ- ‘ଈଶ୍ୱର’

ବାଘ କିଛି ଚିନ୍ତା କଲା

ଆଉ ଆସ୍ତେ କରି ଲେଖି ଦେଲା

ଗୋଟେ ବହୁତ ବଡ଼

ଚିତ୍କାର ପରି ଲମ୍ବା ଆଉ ବଙ୍କାଟଙ୍କା ‘ଈ’

କୋକିଶିଆଳି କହିଲା- ଠିକ୍ ଅଛି

ଏବେ ଲେଖ - ‘ଶ୍ୱ’

ବାଘ ଏଥର ଅଡୁଆରେ ପଡ଼ିଗଲା

ତା’ ହନୁହାଡ଼ ତଳେ

କୋଉଠି ଦବି କି ଥିଲା ‘ଶ୍ୱ’

ଯାହା ବିଲ୍‌କୁଲ ବାହାରୁ ହିଁ ନଥିଲା

କୋକିଶିଆଳି ଚିତ୍କାର କରି ଉଠିଲା-

ଲେଖ, ଲେଖ

ବାଘ ସେମିତି ଅଟକି ରହିଲା

କଳାପଟାର ଦାଢ଼ରେ

ଚୁପ୍‌ଚାପ୍ ନଇଁକି ରହିଲା

କୋକିଶିଆଳି ଚିଲ୍ଲେଇ ଉଠିଲା

‘ଶ୍ୱ’- ମୁଁ କହୁଛି, ଲେଖ୍ ‘ଶ୍ୱ’

ଏଥରକ ବାଘ

ଟିକିଏ ବଞ୍ଚେଷ୍ଟା କଲା

ଗଳା ଖିଙ୍କାରି ସଫା କଲା

ଆଉ ଯେମିତି ସେମିତି ଲେଖି ଦେଲା ‘ଶ’

କୋକିଶିଆଳି ସଜାଡ଼ି ଦେଇ କହିଲା

ପୂରା ନୁହଁ, ଅଧା

କେବଳ ଅଧା ‘ଶ’ ଲେଖ

ବାଘ କେତେବେଳ ପର୍ଯ୍ୟନ୍ତ

କଟାକଟି କଲା

ପୁଣି ଲେଖିବାରେ ଲାଗିଗଲା,

ଲେଖିବାରେ ଲାଗିଗଲା

ପୁଣି କାଟିବାରେ ବି

ହାରି ଯାଇ କହିଲା

ନାଇଁ ନାଇଁ, ମୋ ଦ୍ୱାରା ଲେଖି ହେବନି

ଅନେକ ସମୟ ଯାଏଁ

ଖାଲି ଖ... ଖ...

କରୁଥିଲା ବାଘ

ତା’ ଆଖିରେ ଅଦ୍ଭୁତ

ଅଥଚ ଯନ୍ତ୍ରଣାଦାୟକ ଦୀପ୍ତି ଥିଲା

ଯେମିତି ଲଢ଼ୁ ଲଢ଼ୁ

ପ୍ରଥମ ଥର ପାଇଁ

ପରାସ୍ତ ହେଇଯାଇଛି !

-୦-

 

॥ ୧୦ ॥

 

ସେଦିନ ବାଘ

ରାତିସାରା କାନ୍ଦୁଥିଲା

ପ୍ରଥମେ ଗୋଟିଏ କୋକିଶିଆଳି ଆସିଲା

ଏବଂ ପଚାରିଲା

କାନ୍ଦିବାର କାରଣ

ପୁଣି ଠେକୁଆ ଆସିଲା

ଆସିଲା ଭାଲୁ

ସାପ ଆଉ

ପ୍ରଜାପତି ବି

ସମସ୍ତେ ଆସିଲେ

ଆଉ ପଚାରିବାରେ ଲାଗିଲେ

କାନ୍ଦିବାର କାରଣ

କିନ୍ତୁ ବାଘ ହଲ୍‍ଚଲ୍ ହେଉନଥିଲା

ଖାଲି କାନ୍ଦିବାରେ ଲାଗିଥିଲା

ରାତିଯାକ

ଶୋଷ ଲାଗୁଥାଏ

ସେ କାନ୍ଦିବାରେ ଲାଗିଥାଏ

ଭୋକ ଲାଗୁଥାଏ

ସେ କାନ୍ଦିବାରେ ଲାଗିଥାଏ

ଜହ୍ନ ଆସିଲା

ସେ କାନ୍ଦିବାରେ ହିଁ ଲାଗିଥିଲା

ତାରାମାନେ ବୁଡ଼ିଗଲେ

ସେ କାନ୍ଦି ଚାଲିଥିଲା

କୁଆ ରାବିଲା

ସେ କାନ୍ଦି ଚାଲିଥିଲା

ଦୂର କୋଉ ଗୋଟେ ମନ୍ଦିରରୁ

ଘଣ୍ଟା ବାଜିବାରେ ଲାଗିଥିଲା

ସେ କେବଳ କାନ୍ଦି ଚାଲିଥିଲା...

-୦-

 

॥ ୧୧ ॥

 

ବର୍ତ୍ତମାନ

ଆଉ ବର୍ତ୍ତମାନ

ଏବଂ ଗୋଟେ ନିରନ୍ତର ବର୍ତ୍ତମାନରେ ରହି ରହି

ଯେତେବେଳେ ଗୋଟେ ଦିନ

ବିରକ୍ତ ହୋଇଗଲା ବାଘ ତ

ସେ ଧୀରେ ଠେକୁଆକୁ ପାଖକୁ ଡାକିଲା

ଏବଂ ଦେଖିଲା

ସେ ଥରଥର କମ୍ପୁଛି

ତା’ ଛୋଟ ଦେହରେ

ଯେଉଁ କଅଁଳ ଓ ଧଳା ଲୋମ

ଟାଙ୍କୁରି ଉଠିଥିଲା

ତାକୁ ବାଘ ଟିକେ ଛୁଇଁ ଦେଲା

ଆଉ ଭିତରେ ଭିତରେ

କାହିଁ କେତେ ଖୁସି ହେଇଗଲା

ତାକୁ ମନେହେଲା କି

ଇଏ ଗୋଟେ ନୂଆ ଅନୁଭବ

ହୁଏତ ଏମିତି ହେଇପାରେ

ଯୋଉଟା କି ତା’ ଆଖପାଖରେ

ବିଛେଇ ହେଇପଡ଼ୁଛି

ଏବଂ ତା’ର ଚତୁର୍ଦ୍ଦିଗରେ ମଧ୍ୟ

ଏବଂ ଯୋଉଠି ଦିନରାତି ରହିବା ଏବଂ

ଗର୍ଜନ କରିବା ବ୍ୟତିରେକ

ଆଉ କୌଣସି ଉପାୟ ନାହିଁ ତା’ ପାଖରେ

ଏସବୁଠାରୁ ବାହାରକୁ ବି ଯାଇ ହେଇ ହେବ

ଦେଖା ହେଇପାରିବ ସୂର୍ଯ୍ୟାସ୍ତ

ଏବଂ ସୂର୍ଯ୍ୟୋଦୟର ଏପାଖ ସେପାଖ

ପାହାଡ଼ର ମସ୍ତକ ବିଦୀର୍ଣ୍ଣ କରି

ଅଣାଯାଇ ପାରିହେବ ନଈକୁ

ସମୁଦାୟ ଓଠେଇ ଆଣିହେବ

ଠିକ୍ ନିଜ ଉଠର ଶୋଷ ନିକଟକୁ

ପୁଣି ଟିକେ ଅଟକି

ସେ କିଛି ଚିନ୍ତା କଲା

ଯେମିତି ତା’ କାନ

ଅତି ସୂକ୍ଷ୍ମ ସେ ଚିତ୍କାରର ସ୍ୱରକୁ

ଧରିବାକୁ ବଞ୍ଚେଷ୍ଟା କରୁଛି

ଯାହା ପବନରେ ଉଠି ଆସୁଥିଲା

ଠିକ ସେଇପରି ସେ ନରମ ନରମ ଲୋମରେ

ନିଜ ନଖ ଚଲଉ ଚଲଉ

ପୁଣି ସେଇ ସୁଲାୟାମ ଦେହକୁ

ଏମିତି ଆଉଁସୁ ଥିଲା

ଯେମିତି ତା’ର ଜିଭ

ସେ ଅଦ୍‌ଭୂତ କୋମଳତାର

ସ୍ୱାଦ ଗ୍ରହଣ କରୁଛି ।

-୦-

 

॥ ୧୨ ॥

 

ସକାଳୁ ସକାଳୁ

ଗୋଟିଏ ପିଲା କାନ୍ଦୁଥିଲା

ତା’ ହାତରୁ ଖସିଯାଇ

ଅଚାନକ ଭାଙ୍ଗି ଯାଇଥିଲା ତା’ର

ମାଟିର ବାଘ

ଗୋଟିଏ ଛୋଟ ମାତ୍ର ସୁନ୍ଦର ବାଘ

ଯିଏ ତାରା ମାନଙ୍କ ସହ ଲଢ଼ି ସାରିଥିଲା

ଲଢ଼ି ସାରିଥିଲା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ସହ

ଏବଂ ଜଳଦସ୍ୟୁମାନଙ୍କ ସହ

ଠିକ୍ ତା’ ଆଖି ଆଗରେ

ହାତରୁ ଖସି ପଡ଼ିଲା

ଏବଂ ଖଟ୍ କରି ଭାଙ୍ଗିଗଲା

ଆଉ ଏବେ ସେ କାନ୍ଦୁଥିଲା

କାହିଁକି ନା ଏବେ ସେ

ଦୁଃଖିତ ହେଉଥିଲା

କାରଣ ଦୁନିଆର ସବୁଠୁ

ଶକ୍ତିଶାଳୀ ପଦାର୍ଥ

କେତେ ସହଜରେ ଖସିପଡ଼ିଲା

ଏବଂ ଭାଙ୍ଗିଗଲା

ସୁନେଲୀ ଖରାରେ

ଲୁହ ଭରା ତା’ ଆଖି

ଏବେ ବି ଲାଖି ରହିଥିଲା

ଖସିପଡ଼ିଥିବା ନିଜର ବାଘ ଉପରେ

କି ହଠାତ୍ ତାକୁ ଲାଗିଲା

ବାଘ ଟିକେ ହଲୁଚି ଏବେ

ନିଜ ଖଣ୍ଡ ବିଖଣ୍ଡିତ ଅଂଶ ଭିତରୁ

ଆଲୋକିତ ହେଇ ଉଠିଲା

ଏବଂ ଚାହୁଁ ଚାହୁଁ

ଗୋଟେ ଲମ୍ପରେ ଝରକା ଡେଇଁ

ଚାଲିଗଲା ବାହାରକୁ

ଏବେ କ’ଣ ବା କରାଯାଇପାରେ

ମୁଁ ଭାବୁଥିଲି କି

ରାସ୍ତା ଉପରେ ଦେଖା ହେଇଗଲେ

କବି ତ୍ରିଲୋଚନ

ମୁଁ କହିଲି- ‘ଶାସ୍ତ୍ରୀ ମହାଶୟ,

ପିଲାଟି କାନ୍ଦୁଛି

କିଛି ତ କରିବାକୁ ହବ ନା!’

କହିଲେ, ‘ଚାଲ, ନେଇ ଆସିବା

ଆଉ ଗୋଟେ ବାଘ’

ମୁଁ କହିଲି- ‘ନା, ସେ ଜିଦରେ ଅଟଳ

ତା’ର ଦରକାର ସେଇ

କେବଳ ସେଇ ବାଘ

ଯାହା ଭାଙ୍ଗିବା ପୂର୍ବରୁ ଯେମିତି ଥିଲା’

ସେ ଟିକେ ଏପଟ ସେପଟ ହେଲେ

ତାଙ୍କ ଆଖିରେ ଆସିଗଲା ପୁଣି

ଏକ ଅଦ୍ଭୁତ ଚମକ

କହିଲା - ‘ଚାଲ, ସେଇଟାକୁ ହିଁ ଆଣିବା’

ମୁଁ ପଚାରିଲି- ‘ସେଇ !

ସେଇଟା କୋଉଠୁ ମିଳିବ ?’

‘ମିଳିବ’ - ସେ କହିଲେ-

‘କୋଉଠି କୁମ୍ଭାରର ଆଖିରେ

ଥିବ ନିଶ୍ଚୟ

ଯେମିତି କି ସେମିତି’

ମୁଁ ସନ୍ଦେହ ନ କରି

ତାଙ୍କ ସହ ଏକମତ ହେଇଗଲି

ତା’ ପରଠୁ

କେତେ ସମୟ ବିତିଗଲାଣି

ଆମେ ଏବେ ବି ଚାଲିବା ଜାରି ରଖିଛୁ

ଆଗେ ଆଗେ କବି ତ୍ରିଲୋଚନ

ପଛେ ପଛେ ମୁଁ

ଗୋଟେ ଏମିତି ବାଘକୁ ଖୋଜିବାରେ

ଯିଏ ଦିନେ ଗୋଟେ ସକାଳେ

ପୃଥିବୀରେ ପଡ଼ି ଭାଙ୍ଗିବା ପୂର୍ବରୁ

ଯେମିତି ଥିଲା ସେମିତି ଥିବ ।

-୦-

 

॥ ୧୩ ॥

 

ସେମାନେ ଚାଲି ଯାଉଥିଲେ

ସ୍ୱାଦ ଏବଂ ନିଦରେ ଲଦା ଶଗଡ଼ଗୁଡ଼ିକ

ବାଘ ସେମାନଙ୍କୁ ଦେଖୁଥିଲା

ତାକୁ ନୁହେଁ, ଯାହା ମତେ ଦିନେ ମିଳିଥିଲା

କେଉଁ ଏକ କବିର କବିତାରେ

ବରଂ ଏକ ଜୀବନ୍ତ ଏବଂ ପବିତ୍ର ବାଘ

ସେଠି ଚୁପ୍‌ଚାପ ଠିଆ ହେଇଥିଲା

ଏବଂ ଦେଖୁଥିଲା

ଚାଲି ଯାଉଥିବା ଶଗଡ଼ମାନଙ୍କୁ

ସେସବୁକୁ ସେ ଆଗରୁ ବି

ଦେଖିସାରିଛି ଅନେକଥର

ସେମାନେ ସଦାକାଳେ ଏମିତି ହିଁ ଯାଆନ୍ତି

ବସ୍ତିରୁ ସହର ଆଡ଼କୁ

କିଛି ନା କିଛି ଜିନିଷ ନେଇ

ଆଉ ସେ ମଧ୍ୟ ଦେଖିଛି

ନିଜ ଭାଗର ଜମି ଏବଂ

ସେମାନେ ବାରମ୍ବାର ହରେଇ ଆସୁଥିବା

ଶଗଡ଼ମାନଙ୍କୁ

ଏଥରକ ଫେରିଯାଉଥିବା ଶଗଡ଼ ଗାଡ଼ି ସହ

ତା’ର ପ୍ରେମ ହୋଇଯାଇଛି

ଭଲ ଲାଗିଛି ତାକୁ ଗୋଲଗୋଲ

ଘୂରୁଥିବା ଚକ

ନିଃଶ୍ୱାସ ନେଲା ଭଳି ଲାଗିଲା ତାକୁ

ତା’ର ଧୀମା ଧୀମା ଗତି

ଯାହାକି ତା’ର ଚକ ସବୁରୁ ଝରୁଥିଲା

ସେ ଠିଆ ଠିଆ ସେମିତି ଦେଖୁଥିଲା

ଚାଲି ଯାଉଥିବା ଶଗଡ଼ଗୁଡ଼ିକୁ

‘ମୋର କିଛି କରିବା ଉଚିତ

କିଛି କରିବା ହିଁ ଦରକାର’

ଭାବି ଚାଲିଲା ସେ ଅନେକ ବାର

କିନ୍ତୁ ଦେଖିଲାବେଳକୁ

ସେ ଚାହୁଁ ଚାହୁଁ

ଏକ ଅନନ୍ତ ଲମ୍ଫରେ

ଝୁଲି ରହି

ଘର୍ ଘର୍

ଚାଲିଯାଉଥିଲେ ଶଗଡ଼ ଗାଡ଼ିସବୁ

ସେମାନେ ଚାଲି ଯାଉଥିଲେ

ଗଛମାନଙ୍କର ପୋଲା ଦେହ

ଏବଂ ନଈ ଦାଢ଼କୁ

ପାଣିର ଚମକ

ସୋରିଷ ଗଛର ସାଇଁ ସାଇଁ ଶବ୍ଦକୁ

ଚାଲି ଯାଉଥିଲେ ସେମାନେ... ।

-୦-

 

॥ ୧୪ ॥

 

ଆଜି ଧୂଆଁ ଉଠୁ ନ ଥିଲା

ପୂର୍ବ କି ପଶ୍ଚିମ

କୋଉଠୁ ବି

ସନ୍ଧ୍ୟା ହେଇ ଆସୁଥିଲା

ଆଉ ବାଘ ବ୍ୟସ୍ତ-ବିବ୍ରତ

କ’ଣ ହେଲା, ହେଲା ବା କ’ଣ

ଧୂଆଁ ଉଠୁନି ବା କାଇଁକି

ତାକୁ ଜଣାଥିଲା

ଯୋଉଠୁ ଧୂଆଁ ଉଠୁଥାଏ

ସେଇଠି ହିଁ ଥାଏ ଗୋଟେ ବସ୍ତି

ସେଇଠି ହ ସମ୍ବାଳୁ ଥାଆନ୍ତି ଗାଈମାନେ

ସେଇଠି ହିଁ ଥାଏ ଗରମ ଗରମ ଘର

ସେଉଠୁ ହିଁ ଆସୁଥାଏ ମଣିଷ ଥିବାର ଗନ୍ଧ

ଆଜି ପ୍ରଥମ ଥର

ଧୂଆଁ ନ ଉଠିବାରୁ

ବସ୍ତି ନ ଥିବାର ସନ୍ଦେହ ହେଉଥିଲା ତା’ର

କେଜାଣି

କେମିତି କେମିତି ଲାଗୁଥିଲା ବାଘକୁ

ନା ବସି ରହିବାରେ ମନ

ନା ଲମ୍ଫ ଦେବାର ଉଦ୍ଦାମତା

ସବୁକିଛି ଥିଲା

ଗଛମାନଙ୍କରେ ପତ୍ର

ହରିଣ ଦେହରେ ମାଂସ

ସବୁ କିଛି ଥିଲା

କେବଳ ଧୂଆଁ ହିଁ ଉଠୁ ନ ଥିଲା ।

-୦-

 

॥ ୧୫ ॥

 

ଗୋଟେ ରାତିରେ ଯେତେବେଳେ

ଭୟଙ୍କର ଥଣ୍ଡା ହେଉଥିଲା

କୋଉଠି ଗୋଟେ ନିଆଁ ଜଳୁଥିବାର

ବାଘ ଦେଖିଲା

ନିଆଁ ଗୋଟେ ଘରର

ଭିତରେ ଜଳୁଥିଲା

ଆଉ ଲଟିଝଟିରେ ଘେରାଥିବା ସେ ଘର

ଗୋଟେ ବଙ୍ଗଳା ଥିଲା

ଯୋଉଠୁ ଆସୁଥିଲା

ଗୋଟେ ଚିହ୍ନାଜଣା

କାଠ ପୋଡ଼ିଯିବାର ଗନ୍ଧ

ସେ ଗନ୍ଧ ବାଘକୁ

ନିଜ ପରିବାରର ପରି ଲାଗିଲା

କବାଟ ଫାଙ୍କରୁ

ପ୍ରଥମେ ସେ ଦେଖିଲା ଛୁଆମାନଙ୍କୁ

ତାଙ୍କ ଭିତରୁ

ଅଧେ ନିଦରେ ଓ

ଅଧେ ଚାହିଁ ରହିଥିଲେ

ପୁରୁଷ ଲୋକଟି କୋଉଠି ଗୋଟେ

ଆଢୁଆଳରେ ବସିଥିଲା

କିନ୍ତୁ ସ୍ତ୍ରୀର ବଞ୍ଚେହେରା ପୂରା ଦେଖାଯାଉଥିଲା

ନିଆଁ ଧାସରେ

ଆହୁରି ଅଧିକ ସ୍ତ୍ରୀର ବଞ୍ଚେହେରା ପରି ଲାଗୁଥିଲା

ସେମାନେ ସମସ୍ତେ ନିଆଁକୁ

ଘେରି କରି ବସିଥିଲେ

ଘର ଭିତରର ସେ ସବୁ ଦୃଶ୍ୟ

ଅଦ୍‌ଭୁତ ଲାଗିଲା ବାଘକୁ

ତାକୁ ରହସ୍ୟମୟ ଲାଗିଲା

ସେଇ ଧୀର ମନ୍ଥର ଧ୍ୱନି

ଯୋଉଟା ଅଗ୍ନିଶିଖାରୁ

ନିମିଷକେ ଚାଲି ଆସୁଥିଲା

ପ୍ରଥମଥର ପାଇଁ ବାଘକୁ

ନିଜ ଦେହରୁ ଆସୁଥିବା ଦୁର୍ଗନ୍ଧ ପାଇଁ

ଡର ଲାଗିଲା

‘ମତେ ମାରିଦେବେ

ମାରି ଦେବେ ମତେ’- ସେ ଭାବିଚାଲିଲା

ହେଲେ ନିଆଁର ଜାଦୁ ଯେମିତି

ତା’ ଭିତରର ଭୟକୁ

ଗୋଟେ ଅଭୟରେ ବଦଳେଇ ଦେଇଥିଲା

ସେତେବେଳେ ହଠାତ୍ ସେ

ଦେଖିଲା ଗୋଟେ ମୃତ ବାଘର

ଲମ୍ବା ଦେହ

କାନ୍ଥ ଉପରେ ଝୁଲୁଥିବାର

ପ୍ରଥମଥର ପାଇଁ ବାଘ

ଚିତ୍କାର କରିବାକୁ ଚାହିଁଲା

ମାତ୍ର ତାକୁ ଚିତ୍କାର କରିବା ଆସୁ ନ ଥିଲା

ତଥାପି ସେ

ଅନ୍ତର ଭିତରୁ

ଚିତ୍କାର କରୁଥିଲା ଯେମିତି

କି ହେଇ ଦେଖ... ଦେଖ ତାହାକୁ

ହେଇ ସେଇଠି

ସେ କାନ୍ଥ ଉପରେ ଯିଏ ଟଙ୍ଗା ହେଇଛି

ସିଏ ମୋର - ହଁ ହଁ

ସିଏ ମୋଅରି ହିଁ ଦେହ !

-୦-

 

॥ ୧୬ ॥

 

ବାସ୍ନାଭରା ଦଲକାଏ ପବନ

ପଶି ଆସିଲା

ବାଘ, ସେ ସମୟରେ କୋଉ ପିଞ୍ଜରାରେ ଥିଲା

ଟିକେ ଶିହରି ଉଠିଲା

ବୋଧହୁଏ ଜଙ୍ଗଲରେ

ଆମ୍ବ ପାଚି ଆସୁଥିଲା

ସେ ଭାବିଲା

ତା’ ପରେ ମୁହଁ ଟିକେ ଢିଲା କଲା

ନାକପୁଡ଼ାକୁ ଟିକେ ଫୁଲେଇ ଦେଲା

ଖୁବ୍ ଜୋରରେ ନିଃଶ୍ୱାସଟେ ନେଲା

ପୃଥିବୀ ଭଳି ଲମ୍ବା

ଏବଂ ଚିତ୍ ହେଇ ପଡ଼ିଗଲା !

-୦-

 

॥ ୧୭ ॥

 

ସାଧାରଣତଃ ଗରିମା

ଗୋଟିଏ ଶବ୍ଦଠାରୁ

ଅଧିକ କିଛି ହୋଇନପାରେ ।

କିନ୍ତୁ ସେଇଠି ସେ ଗୋଟେ ନିଆଁ ଥିଲା

ଏକ ଭୟଙ୍କର ସନ୍ତୁଳନ

ଏକ ଅସହ୍ୟ ଦୁର୍ଗନ୍ଧ

ଯାହା ତାର ସମଗ୍ର ଶରୀରରୁ ବାହାରୁଥିଲା

ଆଉ ସେ ନିଜ ପରିଧିରେ

ହଜାର ହଜାର ଚକ୍କର କାଟି ସାରିବା ପରେ

ଏବେ ଜାଣ ନିଜ ଅସ୍ତିତ୍ୱର ବ୍ୟର୍ଥତାରେ

କ୍ଳାନ୍ତ ହୋଇ

ନିଜର ସେଇ ଗରିମା ନେଇ

ଠିଆ ହୋଇଥିଲା

ଯାହା ଭିତରେ ସେ ବନ୍ଦଥିଲା

ଆଉ ନିଜ ରୁଡ଼ୁରୁଡ଼ିଆ ଲମ୍ବା ଜିଭରେ

ନିଜ ଜଙ୍ଘର ଲୁଣକୁ

ବାରମ୍ବାର ଚାଟି ଚାଲିଥିଲା ।

ଏ ପ୍ରକ୍ରିୟାରେ

ସେ କେତେ ଏକୁଟିଆ ଥିଲା

କିନ୍ତୁ ଏତେ ତଲ୍ଲୀନ ବି

କି ସେ ସମୟରେ ସିଏ

ମତେ ମଣିଷ ଠାରୁ ଅଲଗା

ଲାଗୁନଥିଲା ଜମା ।

-୦-

 

॥ ୧୮ ॥

 

ସେମାନଙ୍କର ଡର ଥିଲା ଯେ

ଦିନେ ନା ଦିନେ

ଲୋପ ପାଇଯିବେ ସବୁତକ ବାଘ

କି ଏମିତି ଗୋଟେ ଦିନ ଆସିବ

ଯେବେ କୌଣସି ଦିନ ହିଁ ନ ଥିବ

ପୃଥିବୀର ସବୁ ବାଘ

ପିଲାଙ୍କ ବହିରେ କେବଳ

ଅଟକି ରହିଥିବେ ଯାହା

ମୋର ବି ଡର ଅଛି

କିନ୍ତୁ ମୋର ଆଉ ଗୋଟେ ବି ଡର ଅଛି

ବାଘ ଠାରୁ ଅଧିକ ଚମକୁଥିବା ଏ ଡର

କି ହାତ କୋଉଠି ଥିବ

କୋଉଠି ଥିବ ଆଖି ଯିଏ

ପଢ଼ିବ ଏ ବହିସବୁକୁ

ଛାପାଖାନା ବି କୋଉଠି ଥିବ ଯେ

ଛାପିବ ଏସବୁକୁ

ସହର କୋଉଠି ଥିବ

ଯୋଉଠି ଟାଇପ ହେବ

ପୃଷ୍ଠା କୋଉଠି ଥିବ ଯାହା ଉପରେ ‘କ’ ପରେ

କୋଉଠୁ ଡେଇଁ ଡାଇଁ

ଆସିଯିବ ‘ଲ’ଅବା ‘ଶ’

ଯାହାକୁ ପବନ ଶୁଣିବ

ଆଉ ନିଜ ସ୍ମୃତିରେ ଗଢ଼ି ନେବ

ପୂରାପୂରି ସମ୍ପୂର୍ଣ୍ଣ

ଗୋଟେ ଶବ୍ଦ

ଯାହାକୁ ପତ୍ର ବାରମ୍ବାର

ଦୋହରାଉଥିବ

ଆଉ ଯିଏ ପୃଥିବୀର କୋଉ ଅଦୃଶ୍ୟ

ତାରାମାନଙ୍କ ପାଖ ଦେଇ

କୋଉ ସୁଦୂର ହସ୍ପିଟାଲର ଝରକା ତଳେ

ମୁମୂର୍ଷୁ ଗୋଟେ ମଣିଷର ଓଠ ପର୍ଯ୍ୟନ୍ତ ପହଞ୍ଚି

ଚୁପଚାପ ହୋଇଯାଇପାରିବ

ଗୋଟିଏ ଛୋଟ ଓ ମିଠା

ବଞ୍ଚିବାର ଗୀତ

ମୋର ଡର ଅଛି

ଗୋଟେ ନିହାତି ସିଧା

ଏବଂ ସାଦା ଗୋଟେ ଡର

ତ ଡର କୋଉଠି ଥିବ ?

-୦-

 

॥ ୧୯ ॥

 

ଯେତେବେଳେ ସୂର୍ଯ୍ୟ ବୁଡ଼ିଯିବାକୁ ବସିଥିଲେ

ଜଣେ ଲୋକ ଠିଆ ହୋଇଥିଲା

ସହରର ସବୁଠାରୁ ଉଚ୍ଚ

ମୀନାର ଉପରେ

ଆଉ ଚିତ୍କାର କରୁଥିଲା

ବନ୍ଧୁଗଣ, ଏ ଶତାବ୍ଦୀ ଶେଷ ହେବାକୁ ବସିଛି

ଶେଷ ହେବାକୁ ଯାଉଛି ସବୁ ପାହାଡ଼, ନଦୀ

ଏବଂ ହାୱଡାର ପୋଲ

ଆଉ ଉଡ଼ାଜାହାଜର ଡେଣା

ଆଉ ବୁଣୁଥିବା ହାତ

ଆଉ ଚାଲୁଥିବା ପାଦ

ସବୁ ଅତୀତ ହେଇ ଯାଉଥିଲେ

କିନ୍ତୁ ବନ୍ଧୁଗଣ, ଆମକୁ ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ ବାଘ ସହିତ

ଏବଂ ବାଘ ବିନା ବି

ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ

ଯେମିତି ପାଣି ବଞ୍ଚେ

ଯେମିତି ପଥର ବଞ୍ଚେ

ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ

ଦଉଡ଼ିରୁ ଝୁଲି ରହି

ଶୁଳିଆପଦାରୁ ଫେରିବା ପରେ ମଧ୍ୟ

ବଞ୍ଚିବାକୁ ହେବ

ସମୟ

ଯେତେ କମ୍ ହେଉ ପଛେ

ସ୍ଥାନ

ତା’ଠୁ କମ୍ ହେଉ ପଛେ

ସହରରେ ଖୁବ୍ କମ୍ ପବନ

ବାକି ଥାଉ ପଛେ ଯେତିକି

ଗୋଟେ ସାଇକେଲରେ ଥାଏ

କିନ୍ତୁ ଆମକୁ ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ

ଏବଂ ଏଇଠି

ଏଇଠି

ଏଇ ସହରରେ ବଞ୍ଚିବାକୁ ହେବ

ଇଞ୍ଚେ ଇଞ୍ଚେ ହେଇ ବି ବଞ୍ଚିବାକୁ ହେବ

ଆଙ୍ଗୁଳେ ଜାଗାରେ ବଞ୍ଚିବାକୁ ହେବ

ଏବଂ ଯେମିତି ବି ହେଉ

ଏଠୁ ସେଠା ପର୍ଯ୍ୟନ୍ତ

ସବୁଠି ହିଁ ବଞ୍ଚିବାକୁ ହେବ

ସେ ଲୋକଟି ସେଇ ସହରରେ

ଯିଏ ସବୁଠୁ ଉଚ୍ଚ ମୀନାର ଉପରେ

ଠିଆ ହୋଇଥିଲା

ସେ ଅସଲରେ କୋଉଠି ଥିଲା ଇ ନାହିଁ ।

-୦-

 

॥ ୨୧ ॥

 

ବନ୍ଧୁଗଣ,

ଏହିପରି ଋତୁଚକ୍ର ସମ୍ପୂର୍ଣ୍ଣ ହେଲା

ଏବଂ ଚକ୍ରରେ

କେବଳ ଗୋଟିଏ ଗତି ହିଁ ଥାଏ

ଯିଏ ନିରନ୍ତର ଚଳମାନ

ଚକ୍ରର ଚକ୍ର ହେବାର ବିରୁଦ୍ଧରେ

ଏବେ ୟା’ ଭିତରକୁ ବାଘ ଆସିଗଲା

ତ ଆସିଗଲା

ମୁଁ ତା’ର କିଛି କରି ପାରିନଥାନ୍ତି

କେବଳ ଗୁଳି ମାରିଦେବା ଛଡ଼ା

କିନ୍ତୁ ସେଥିପାଇଁ ମୁଁ ରାଜି ନ ଥିଲି

କାହିଁକି ନା

ତା’ର ଆସିବା ଗୋଟିଏ ସୂଚନା

ଯେ ପବନ ଏବେ ବି ଅଛି

ଆଉ ପାଣି କୋଉଠି ନା କୋଉଠି

ଆଗଭଳି

ବହି ଚାଲିଛି

କିନ୍ତୁ ବନ୍ଧୁଗଣ,

ବାଘ ହିଁ ତ ଅଛି

କୁହାଯାଏ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ

ସେ ଗୋଟେ ସନ୍ଧ୍ୟାରେ ଆସିଯାଇଥିଲା

ବ୍ୟାକରଣଶାସ୍ତ୍ରଜ୍ଞ ପାଣିନିଙ୍କ ଭାଷାର କୁଡ଼ିଆକୁ

କୋଉ ନୂତନ ସୂତ୍ର

କୌଣସି ପ୍ରାଚୀନ ଭୋଜ ପତ୍ରର ବାସ୍ନାରେ

ଛନ୍ଦି ହୋଇ ପଡ଼ିଥିଲା

ତା’ର ସମାଧାନ ପାଇଁ

ବସି ରହିଥିଲେ ସେମାନେ

ତ ବାହାରୁ ଶୁଣାଗଲା

କାହା ଗର୍ଜନର ଶବ୍ଦ

ବ୍ୟାକରଣଶାସ୍ତ୍ରଜ୍ଞ ଋଷିଙ୍କ ପାଇଁ

ଇଏ ଗୋଟେ ବିଲ୍‌କୁଲ ନୂଆ

ସମସ୍ୟା ଥିଲା

କାରଣ ତାଙ୍କ ସ୍ମୃତିରେ ଯେତେ ବି ସୂତ୍ର ଥିଲା

ସେ ଭିତରୁ କୌଣସି ଗୋଟିକରେ ବି

ସେ ଶବ୍ଦ

ଖାପ ଖାଉନଥିଲା

ତେଣୁ ସେ ବାହାରକୁ ଆସିଲେ

ଏବଂ ବାଘ ଆଡ଼କୁ ଆଙ୍ଗୁଠି ଦେଖେଇ କହିଲେ

ଅଶୁଦ୍ଧ !

ଏକଦମ୍ ଅଶୁଦ୍ଧ କହୁଛ ତମେ !

ୟା’ ପରେ କ’ଣ ହେଲା-

ଜନଶ୍ରୁତି ଏଇଠି ନୀରବ

କିନ୍ତୁ ସେଠେଇ ଗୋଟେ ବଡ଼ ଛିଦ୍ର ଅଛି

ଯୋଉଠୁ ଗୋଟେ ଦୀପ୍ତ ଗର୍ଜନର

ଭାଷା ସେଇ କୁଡ଼ିଆରେ ଧୀରେ ଧୀରେ

ବୁଡ଼ିଯିବାର ଶବ୍ଦ

ବହୁତ ସମୟ ପର୍ଯ୍ୟନ୍ତ ଶୁଣାଯାଇଥାଏ...

ପରିଶେଷରେ ବନ୍ଧୁଗଣ

ଅନ୍ତତଃ ଏତିକି ହିଁ କହିବି

ଯେ ଶେଷ : କେବଳ ଗୋଟେ ରୂଢ଼ି

ଯାହାକୁ ଶବ୍ଦ ସବୁବେଳେ

ନିଜ ବିସ୍ଫୋଟରୁ ଦୂରକୁ ନେଇଯାଏ

ସବୁଥର କେବଳ ଅବଶିଷ୍ଟ ରହେ

ସେଇ ଗୋଟେ ଅପରିପକ୍ୱ

ମାଟି ଭଳି ଆଦିମ ଏବଂ ସତେଜ ଆରମ୍ଭ

ଯୋଉଠୁ ପ୍ରତ୍ୟେକ ବସ୍ତୁର

ଆରମ୍ଭ ପୁଣିଥରେ ହୋଇପାରେ

ପୁଣି ଖଡ଼ିଛୁଆଁ

‘କ’ ରୁ ‘ହ’ ପର୍ଯ୍ୟନ୍ତ ପୁଣିଥରେ

ପୁଣିଥରେ ଗଣନା ‘ଶହେ’ରୁ ଶୂନ ଆଡ଼କୁ

ସୂର୍ଯ୍ୟାସ୍ତରୁ ପୁଣିଥରେ ସୂର୍ଯ୍ୟଘଡ଼ି ଆଡ଼କୁ

ସମୟକୁ ପୁଣିଥରେ

ଏଇ ‘ପୁଣିଥରେ’କୁ ବି

ପୁଣିଥରେ ।

Image

 

‘ବାଘ’ : ଏକ ପ୍ରତିବେଶୀ ପ୍ରତିକ୍ରିୟା

 

‘ବାଘ’ କବିତାଟି ଅଦ୍ଭୁତ ଢଙ୍ଗରେ ଆନ୍ଦୋଳିତ କଲା ଏବଂ ଭାବିବାକୁ ବାଧ୍ୟ କଲା- ଏ ‘ବାଘ’ଟି କ’ଣ ? ସେ କ’ଣ କୌଣସି ଏକ ପ୍ରତୀକ କିମ୍ବା କୋଉ ଗୋଟେ ବିରାଟ ବିମ୍ବ ଯେଉଁଠି ଅନେକ ଚିତ୍ର ଏବଂ ରୂପକ ସମାହିତ ! ପ୍ରକୃତରେ ଆମେ ‘ବାଘ’କୁ ତିନି କିମ୍ବା ଚାରୋଟି ପୃଷ୍ଠଭୂମିରେ ପଢ଼ିପାରିବା- ବାଘ ଯିଏ ଥିଲା, ବାଘ ଯିଏ ଏବେ ନାହିଁ, ବାଘ ଆମେ ଯାହାକୁ ଖୋଜୁଛେ ଏବଂ ଏସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେ ବାଘ ଯିଏ କେବେ ଥିଲା ଇ ନାହିଁ-। ଅନ୍ୱେଷଣର ଏଇ ସମ୍ମୋହନପୂର୍ଣ୍ଣ ରୂପକ- ଏଇ ଚାରୋଟି ପୃଷ୍ଠଭୂମି ଉପରେ ନିର୍ଭର କରି ଅନ୍ତତଃ ଆମକୁ ଏମିତି ଏକ ଅନ୍ତରୀଣ ସ୍ଥିତିରେ ବାନ୍ଧି ରଖେ, ଯୋଉଠି ଏଇ ଚାରୋଟିଯାକ ପୃଷ୍ଠଭୂମି ଏକାସାଙ୍ଗରେ ସକ୍ରିୟ ହୋଇଯାଆନ୍ତି । ଗୋଟେ ବିଶେଷ କଥା ହେଉଛି ଯେ ଏଇ ଅନ୍ତରୀଣ ସ୍ଥିତି ସନ୍ଦେହାତ୍ମକ ନୁହେଁ, ପରନ୍ତୁ ଏପରି ଗୋଟିଏ ସତ୍ୟ ସହିତ ସାକ୍ଷାତ୍‍କାର ହୁଏ, ଯିଏ ଜନ୍ମ ନିଏ- ବାସ୍ତବ ଏବଂ ‘ପ୍ରତୀୟମାନ’ ଅନ୍ତଃକ୍ରିୟାର ଉତ୍ତେଜନାରୁ ଯାହା ଆମ ଜୀବନର ସମ୍ବେଦନଶୀଳ ଶିରା ପ୍ରଶିରାକୁ ନିରନ୍ତର ସହ୍ୟ କରିବାକୁ ବାଧ୍ୟ କରିଥାଏ । ‘ବାଘ’ କବିତାର ପୂରା ନିର୍ମାଣ ପ୍ରକ୍ରିୟାର ପୃଷ୍ଠ ଭୂମି ହୁଏତ ଉପରୋକ୍ତ ନାଟକୀୟତାରୁ ହିଁ ମିଳିଥାଏ ବୋଲି କୁହାଯାଇପାରେ ।

 

ଏଇ ଶତାବ୍ଦୀର ଶେଷ ଭାଗରେ ଗୋଟେ ଭ୍ରମାତ୍ମକ ବୁଲାଣିରେ ‘ବାଘ’, ଧ୍ୱଂସ ବିରୁଦ୍ଧରେ ମଣିଷର ଏକ ସଂଘର୍ଷମୟ ଲୋକକଥା । କେତେଥର ମନେହୁଏ- କବିତାର ପ୍ରତ୍ୟେକ ଅଂଶ ଉପରୋକ୍ତ ବକ୍ତବ୍ୟକୁ କୋଉଠି ନା କୋଉଠି ବଞ୍ଚେଇ ରଖିବାର ଅବକାଶ ଛାଡ଼ି ଦେଇଥାଏ- ବସ୍ତୁତଃ ଏଇ ମାୟାବୀ ସମୟ ହିଁ ‘ବାଘ’- ହୁଏତ ଆମ ବଞ୍ଚେତନା, ଆମ ପ୍ରେମ, ଆମର ଭୁଲାପଣ, ଆମର ନୈରାଶ୍ୟ ହୁଏତ ସେଇ ଅପରିବର୍ତ୍ତନୀୟ ନିକୃଷ୍ଟ ପଦାର୍ଥ, ଯିଏ ସର୍ବଦା ତିଷ୍ଠି ରହିବାର ବଞ୍ଚେଷ୍ଟାରେ ଥାଏ । ମତେ ଲାଗେ- ବାଘ, ଯିଏ ସହରକୁ ତିରସ୍କାର କରୁଥାଏ, ସେ ଆମ ବିକୃତିକୁ ତିରସ୍କୃତ କରୁଥିବା ଆମମାନଙ୍କର ଆପଣାର ପ୍ରେମ ହିଁ କେବଳ । ବାଘ କୋଉଠି ମିଥ୍‌ର ଆବରଣ ଖୋଜୁଥାଏ, ସେଠେଇ ସେ ସତେ ଯେମିତି ଆମ ବଞ୍ଚେତନାର ଦୁଇ ଫାଙ୍କ ଭିତରର ଗୋଟେ ଅଂଶ । ସବୁଜ କ୍ଷେତରେ ଲାଲ ଟ୍ରାକ୍ଟରକୁ ଈର୍ଷା କରୁଥିବା ବାଘ, ଜୀବନପ୍ରତି ଆମ ଲାଳସାର ହୁଏତ ଅନ୍ୟ ଏକ ନାମ । ମଣିଷର ପିପାସା ଏବଂ ଉଦାସ ଭାବ ଆର୍ଥିକ ସମସ୍ୟା ସାମ୍ନାରେ ନାଚାର ଠିଆ ହେଇଥିବା ବାଘ, ଆମର ହତାଶା ଏବଂ କୌଣସି ପୁରାତନ ସଙ୍ଗୀତରୁ ବିସ୍ମୟ-ବିମୁଖ ବାଘ ମନେ କରାଯାଉ ଆମମାନଙ୍କ ଆପଣାର ଭୋଳାପଣ । ଅନୁଭବର ଅନ୍ଧାରୀ ଗୁମ୍ଫାରେ ରହୁଥିବା ବାଘ ହିଁ ବାସ୍ତବରେ, ‘ସତ ବାଘ’- ଐନ୍ଦ୍ରିକ, ଯାଦୁକରୀ ଏବଂ ଏକାକୀ । ଯୋଉ ‘ବାଘ’ର ଅନ୍ୱେଷଣ କବିଙ୍କର, ସିଏ ଏଇସବୁ ତ ହିଁ ଅଟନ୍ତି- କିନ୍ତୁ ଏସବୁ ବ୍ୟତୀତ ଆଉ କିଛି ଅଛି ଏବଂ ସେଇ ‘ଆଉ କିଛି’ କବିତାର ସତ୍ୟକୁ ଅର୍ଥାନ୍ୱିତ କରଉଥାଏ ଏବଂ ଅସୀମ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରାଉଥାଏ ମଧ୍ୟ... ।

 

‘ବାଘ’ ଅନେକ ଅର୍ଥରେ ଏକ ମହତ୍ତ୍ୱପୂର୍ଣ୍ଣ କବିତା । କବିତାର ଶେଷରେ ଯେତେବେଳେ ବାଘର କର୍କଶ ସ୍ୱର କମି କମି ଯାଏ, ସେତେବେଳେ କବିତାର ଯାଦୁ ଆଉ ଥରେ ପୁଣି ଆମ ମୁଣ୍ଡ ଉପରେ ସବାର ହୁଏ; ଏବଂ ସେଇଠୁ ଆରମ୍ଭ ହୁଏ ଶୂନ୍ୟର ମହାବୃତ୍ତରେ ଶବ୍ଦମାନଙ୍କର ସାମୂହିକ ଝଙ୍କୃତିର ବୃହତ୍ତର ଯାତ୍ରା... ।

Image